‘ନ୍ୟୁଜକ୍ଲିକ୍’ ମାମଲାରେ ହସ୍ତକ୍ଷେପ ପାଇଁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଗଣମାଧ୍ୟମ ସଂଗଠନ

ନୂଆଦିଲ୍ଲୀ : ‘ନ୍ୟୁଜକ୍ଲିକ୍’ ସହ ଜଡ଼ିତ ସାମ୍ବାଦିକ ମାନଙ୍କ ବାସଭବନରେ ଦିଲ୍ଲୀ ପୋଲିସର ଚଢ଼ାଉ ପରିପ୍ରେକ୍ଷୀରେ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ କିଛି ଗଣମାଧ୍ୟମ ସଂଗଠନ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଚତୁର୍ଥ ସ୍ତମ୍ଭ ଓ ସାମ୍ବାଦିକ ମାନଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦମନକାରୀ ଆଚରଣ ରୋକିବା ଓ ମୋବାଇଲ୍ ଫୋନ୍, ଲାପଟପ୍ ଭଳି ସାମ୍ବାଦିକଙ୍କ ଇଲେକ୍ଟ୍ରୋନିକ୍ ଉପକରଣ ଜବତ ନେଇ ଗାଇଡଲାଇନ୍ ଜାରି କରିବାକୁ ସେମାନେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ।

ଚିଠିରେ କୁହାଯାଇଛି ଯେ ଆଜିର ନିରାଟ ସତ୍ୟ ହେଉଛି ଭାରତରେ ସାମ୍ବାଦିକ ମାନଙ୍କର ଏକ ବଡ଼ ବର୍ଗ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ବିପଦ ମଧ୍ୟରେ କାମ କରୁଛନ୍ତି । ଏ ଦୃଷ୍ଟିରୁ ବାକ୍ ସ୍ବାଧୀନତା ଭଳି ମୌଳିକ ଅଧିକାରକୁ ବଞ୍ଚାଇବା ପାଇଁ ନ୍ୟାୟପାଳିକାର ହସ୍ତକ୍ଷେପ ଜରୁରୀ ।

ସାମ୍ପ୍ରତିକ ସମୟରେ ଦେଶର ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ଗଣମାଧ୍ୟମ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ନିରପେକ୍ଷ ଓ ସ୍ବାଧୀନ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ପାଇଁ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ଓ ଆତଙ୍କବାଦ ଭଳି ମାମଲା ଦାୟର କରାଯାଉଛି। ବହୁ ବିଳମ୍ବ ହେବା ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଏହି ଚିଠିରେ ଅପିଲ କରାଯାଇଛି ।

ଗତକାଲି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ‘ନ୍ୟୁଜକ୍ଲିକ୍’ ସହ ଜଡ଼ିତ ୪୬ ଲେଖକ, ସମ୍ପାଦକ, ସାମ୍ବାଦିକଙ୍କ ଘରେ ଚଢ଼ାଉ କରିଥିଲା। ଆତଙ୍କବାଦ (ନିରୋଧ) ଆଇନ ବଳରେ ‘ନ୍ୟୁଜକ୍ଲିକ୍’ର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ‘ନ୍ୟୁଜକ୍ଲିକ୍’ ସାମ୍ବାଦିକ ମାନଙ୍କ ଫୋନ୍ ଏବଂ କମ୍ପ୍ୟୁଟର ମଧ୍ୟ ଜବତ କରାଯାଇଥିଲା।

ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସର ଚଢ଼ାଉ ନେଇ ନ୍ୟୁଜକ୍ଲିକ୍ ଏକ ବିବୃତ୍ତିରେ କହିଛି ଯେ ସେମାନଙ୍କୁ ଏଫ୍ଆଇଆର୍ କପି ଦିଆଯାଇ ନାହିଁ । ଚୀନ୍ ଏଜେଣ୍ଡା ମୁତାବକ କାର୍ଯ୍ୟ କରୁଥିବା ଅଭିଯୋଗକୁ ମଧ୍ୟ ନ୍ୟୁଜକ୍ଲିକ୍ ଖଣ୍ଡନ କରିଛି ।

Comments are closed.