୫ ଜିଲ୍ଲାରୁ ତୀର୍ଥଯାତ୍ରାରେ ଯିବେ ହଜାରେ ବରିଷ୍ଠ ନାଗରିକ

ଛତ୍ରପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ଆସନ୍ତା ୩୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖରେ ସରିବ। ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୧ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ। ବ୍ରହ୍ମପୁର ରେଳଷ୍ଟେସନରୁ ତୀର୍ଥାଟନ ଆରମ୍ଭ କରି ସେମାନେ କନ୍ୟାକୁମାରୀ ଓ ତ୍ରିଭେନ୍ଦ୍ରମକୁ ଯିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଜାନୁଆରୀ ୧୭ରୁ ଆରମ୍ଭ ହୋଇ ୨୨ ତାରିଖରେ ସରିବ। ଏହି ପର୍ଯ୍ୟାୟରେ ବୟୋଜ୍ୟେଷ୍ଠ ନାଗରିକ ବାରଣାସୀ ଓ ପ୍ରୟାଗରାଜ ଦର୍ଶନରେ ଯିବେ।

ଏଥିପାଇଁ ୩୦ ଜଣ ଏସ୍କର୍ଟ ଅଫିସର୍ ନିଯୁକ୍ତ ହୋଇଛନ୍ତି। ଯାତ୍ରାରମ୍ଭ ପୂର୍ବରୁ ବ୍ରହ୍ମପୁର ରେଳଷ୍ଟେଶନ୍ ଠାରେ ପାଣି, ପାଇଖାନା ଆଦି ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ବରିଷ୍ଠ ନାଗରିକଙ୍କୁ ଅବଗତ କରାଇବା ସକାଶେ ପ୍ରଚାର ପ୍ରସାର କରାଯିବ। ବୟୋଜ୍ୟେଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ରହିବେ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ତାଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ହୋଇଥିଲା। କିଭଳି ସୁରୁଖୁରୁରେ ଏହି ତୀର୍ଥଯାତ୍ରା ସମ୍ପନ୍ନ ହେବ ତାହା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

Comments are closed.