ଦକ୍ଷିଣ ଆଫ୍ରିକାର ରେକର୍ଡ ବର୍ଷା, ମାର୍କ୍ରମଙ୍କ ନାଁରେ ଦ୍ରୁତତମ ଶତକ

ନୂଆଦିଲ୍ଲୀ: ଫିରୋଜ ଶାହ କୋଟଲାରେ ଚାଲିଥିବା ବିଶ୍ୱକପର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନମାନେ ରନ୍ ସହ ରେକର୍ଡ ବର୍ଷା କରିଛନ୍ତି । ମ୍ୟାଚରେ ଦକ୍ଷିଣ ଆଫ୍ରିକାର ତିନି ଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଛନ୍ତି । କ୍ୱିଣ୍ଟନ୍ ଡି କକ୍, ରାସି ଭାନ୍ ଡର୍ ଡୁସେନ୍ ଓ ଏଡେନ ମାର୍କ୍ରାମ ବିସ୍ଫୋରକ ଶତକ ହାସଲ କରିଥିବା ବେଳେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟ୍ ହରାଇ ୪୨୮ ରନର ବିଶାଳ ସ୍କୋର କରିଛି | ଦିନିକିଆ ବିଶ୍ବକପ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ସ୍କୋର। ଏଥିସହ ଅଷ୍ଟ୍ରେଲିଆର‌ ରେକର୍ଡ ଭାଙ୍ଗିଛି ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆ ୨୦୧୫ ବିଶ୍ବକପରେ ଆଫଗାନିସ୍ତାନ ବିପକ୍ଷରେ ୪୧୭/୬ ରନ୍ କରିଥିଲା।

ନିଜ ଶତକୀୟ ଇନିଂସ୍ ବେଳେ ମାର୍କ୍ରାମ ମଧ୍ୟ ୧୨ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ମାର୍କ୍ରାମ ମାତ୍ର ୪୯ ବଲରେ ଶତକ ପୂରଣ କରିଥିଲେ । ଏହା ହେଉଛି ବିଶ୍ୱକପରେ ଦ୍ରୁତତମ ଶତକ । ଏଥିସହ ସେ ଆୟର୍ଲାଣ୍ଡର କେଭିନ ଓ’ବ୍ରାଏନଙ୍କ ରେକର୍ଡ ଭାଙ୍ଗିଛନ୍ତି । ମାର୍କ୍ରମ ୩୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ପରବର୍ତ୍ତୀ ୫୦ ରନ୍ ମାତ୍ର ୧୫ ବଲରେ କରିଥିଲେ । ଓ’ବ୍ରାଏନ ୨୦୧୧ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ୫୦ ବଲରେ ଶତକ ପୂରଣ କରିଥିଲେ |

ଏହାଛଡ଼ା ବିଶ୍ବକପର ଏକ ମ୍ୟାଚରେ ଗୋଟିଏ ଦଳର ତିନି ଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିବା ପ୍ରଥମ ଦୃଷ୍ଟାନ୍ତ ।

ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଓପନର କ୍ୱିଣ୍ଟନ ଡି’କକ ୮୪ ବଲରେ ୧୦୦ ରନ କରିଥିବା ବେଳେ ୩ନଂରେ ବ୍ୟାଟିଂ କରିଥିବା ରସି ଭାନ ଡେର ଡୁସେନ ୧୧୦ ବଲରେ ୧୦୮ ଓ ଏଡେନ ମାର୍କମ ୫୪ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳିଛନ୍ତି।

ଦକ୍ଷିଣ ଆଫ୍ରିକା ଦଳ ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ୪୦୦ ପ୍ଲସ୍ ସ୍କୋର କରିବାର ରେକର୍ଡ ମଧ୍ୟ କରିଛି । ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ତିନିଥର ୪୦୦ରୁ ଊର୍ଦ୍ଧ୍ବ ସ୍କୋର କରିଛି । ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପରେ ଥରେ ଲେଖାଏଁ ୪୦୦ ଟପିଛନ୍ତି ।

Comments are closed.