ଗଞ୍ଜାମର ୧୩ ଶକ୍ତିପୀଠ ସମେତ ୨୬ ମନ୍ଦିରର ବିକାଶ ହେବ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୧୩ଟି ଶକ୍ତିପୀଠ ଓ ୧୩ଟି ଅନ୍ୟ ଦେବଦେବୀ ପୀଠର ହେବ ୫-ଟି ରୂପାନ୍ତରୀକରଣ। ଜିଲ୍ଲାର ୧୧ଟି ନିର୍ବାଚନମଣ୍ଡଳୀର ମୋଟ ୨୬ଟି ପ୍ରମୁଖ ମନ୍ଦିରର ନବକଳେବର କରାଯିବା ଯୋଜନା ହୋଇଛି। ଜିଲ୍ଲାପାଳଙ୍କ ସ୍ବାକ୍ଷର ସହ ଜିଲ୍ଲା ପରିଷଦର ଚିଠି ନମ୍ବର (୧୦୮୬/ ୧୫.୯.୨୦୨୩)ରେ ରାଜ୍ୟ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବଙ୍କୁ ଏ ସମ୍ପର୍କିତ ପ୍ରସ୍ତାବ ପ୍ରେରଣ କରାଯାଇଥିଲା। ଯାହା ଜଣାଯାଇଛି ଶୀଘ୍ର ଏସବୁ ମନ୍ଦିରର ଉନ୍ନତୀକରଣ ବାବଦ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଙ୍କେତ ମିଳିବ। ଶୀଘ୍ର ଅର୍ଥ ମଞ୍ଜୁର ହେବା ପରେ ଏହି ସମସ୍ତ କାମ ତ୍ବରାନ୍ବିତ କରିବ ପୂର୍ତ୍ତ ବିଭାଗ। ସାନଖେମୁଣ୍ଡି, ଚିକିଟି, ଦିଗପହଣ୍ଡି, ସୋରଡ଼ା, ଭଞ୍ଜନଗର, ଆସିକା, ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ଦୁଇଟି ଲେଖାଏଁ ବ୍ଲକ୍‌ର ୨ଟି ଲେଖାଏଁ, ପୋଲସରା ଓ ଛତ୍ରପୁର ନିର୍ବାଚନମଣ୍ଡଳୀର ୨ଟି ବ୍ଲକ୍‌ର ୩ଟି ଲେଖାଏଁ, ଗୋପାଳପୁର ନିର୍ବାଚନମ୍ତଳୀର ଗୋଟିଏ ବ୍ଲକ୍‌ର ୩ଟି, କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌ର ୩ଟି ମନ୍ଦିରକୁ ଅନୁଦାନ ପ୍ରଦାନ କରାଯିବାର ଅନୁରୋଧ କରାଯାଇଛି।

ସାନଖେମୁଣ୍ଡି ବ୍ଲକ୍‌ର ମା’ ରତନେଇ ମନ୍ଦିର ସକାଶେ ୧ କୋଟି ୩୦ ଲକ୍ଷ ଟଙ୍କା, ରଙ୍ଗେଇଲୁଣ୍ଡା ବ୍ଲକ୍ ସିଦ୍ଧଭୈରବୀ ମନ୍ଦିର ପାଇଁ ୧ କୋଟି ୭୮ ଲକ୍ଷ, ପାତ୍ରପୁର ବ୍ଲକ୍ ବାଦପୁରସ୍ଥିତ ଚାଞ୍ଚଡ଼ା ଭୈରବୀ ମନ୍ଦିର ନିମନ୍ତେ ୧ କୋଟି ୯୫ ଲକ୍ଷ, ଚିକିଟି ବ୍ଲକ୍‌ ବାଳକୁମାରୀ ମନ୍ଦିରକୁ ୧ କୋଟି ୯୦ ଲକ୍ଷ, ଦିଗପହଣ୍ତି ବ୍ଲକ୍‌ର ମା’ ନିଜବାଙ୍କେଶ୍ଵରୀ ମନ୍ଦିରକୁ ୧ କୋଟି ୮୬ ଲକ୍ଷ, କୁକୁଡ଼ାଖଣ୍ଡି ବ୍ଲକ୍‌ ମହୁରିକାଳୁଆ ମନ୍ଦିରକୁ ୧ କୋଟି ୭୬ ଲକ୍ଷ, ସୋରଡ଼ା ବ୍ଲକ୍‌ର ମା’ ଖୁଣ୍ଟେଶ୍ଵରୀ ମନ୍ଦିରକୁ ୧ କୋଟି ୮୦ ଲକ୍ଷ, ବେଲଗୁଣ୍ଠା ବ୍ଲକ୍ ବ୍ରାହ୍ମଣଦେବୀ ମନ୍ଦିରକୁ ୧ କୋଟି ୨୦ ଲକ୍ଷ, ଭଞ୍ଜନଗର ବ୍ଲକ୍‌ ମା’ ବ୍ୟାଘ୍ର ଦେବୀ ମନ୍ଦିରକୁ ୧ କୋଟି ୮୮ ଲକ୍ଷ, ଆସିକା ବ୍ଲକ୍ ମା’ ଖମ୍ବେଶ୍ଵରୀ ମନ୍ଦିର ନିମନ୍ତେ ୧ କୋଟି ୮ ଲକ୍ଷ, ବୁଗୁଡ଼ା ବ୍ଲକ୍‌ ମା’ ଶାଙ୍କୁଳେଇ ମନ୍ଦିରକୁ ୧ କୋଟି ୮୮ ଲକ୍ଷ, ଖଲ୍ଲିକୋଟ ବ୍ଲକ୍‌ ନାରାୟଣୀ ମନ୍ଦିରକୁ ୧ କୋଟି ୯୫ ଲକ୍ଷ, ଛତ୍ରପୁର ବ୍ଲକ୍‌ର ମା’ ରାମଚଣ୍ତି ମନ୍ଦିର ସକାଶେ ୨ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାବ ପଠାଯାଇଛି। ଭଞ୍ଜନଗର ବ୍ଲକ୍‌ ମା’ ବ୍ୟାଘ୍ର ଦେବୀ ମନ୍ଦିରକୁ ମିଳିଥିବା ଅନୁଦାନରୁ ସେଠାକାର ଜଗନ୍ନାଥ ମନ୍ଦିରର ମଧ୍ୟ ନବକଳେବର କରାଯିବ।

ସେହିପରି ଧରାକୋଟ ଜଗନ୍ନାଥ ମନ୍ଦିରକୁ ୨ କୋଟି ଟଙ୍କା, ରଙ୍ଗେଇଲୁଣ୍ଡା ବ୍ଲକ୍ ପଞ୍ଚମା ଗଣେଶ ମନ୍ଦିର ପାଇଁ ୧ କୋଟି ୪୦ ଲକ୍ଷ ଓ ଗୋପାଳପୁର ନିକଟ ଧବଳେଶ୍ଵର ମନ୍ଦିର ନିମନ୍ତେ ୧ କୋଟି ୮୮ ଲକ୍ଷ, ଜଗନ୍ନାଥପ୍ରସାଦ ବ୍ଲକ୍‌ ଗୋଚ୍ଛାବାଡ଼ିସ୍ଥିତ ଧବଳେଶ୍ଵର ମନ୍ଦିରକୁ ୧ କୋଟି ୧୦ ଲକ୍ଷ, କବିସୂର୍ଯ୍ୟନଗର ଶାଳବଣସ୍ଥିତ ସିଦ୍ଧେଶ୍ଵର ମନ୍ଦିର ସକାଶେ ୧ କୋଟି ୩୦ ଲକ୍ଷ, ପୋଲସରା ବ୍ଲକ୍‌ ମାରଦା ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ୯୮ ଲକ୍ଷ, ବୁଗୁଡ଼ା ବ୍ଲକ୍‌ ବୁଦ୍ଧଖୋଲ ମନ୍ଦିର ସକାଶେ ୧ କୋଟି ୯୫ ଲକ୍ଷ, ପୁରୁଷୋତ୍ତମପୁର ବ୍ଲକ୍‌ ତୁମ୍ବେଶ୍ବର ମନ୍ଦିରକୁ ୧ କୋଟି ୨୦ ଲକ୍ଷ ଓ ଗୁପ୍ତେଶ୍ଵର ମନ୍ଦିର ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା, କବିସୂର୍ଯ୍ୟନଗରର ଆଠଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ୯୮ ଲକ୍ଷ, ବେଗୁନିଆପଡ଼ା ବ୍ଲକ୍‌ର ମଠସରସିଙ୍ଗିସ୍ଥିତ ସିଦ୍ଧେଶ୍ଵର ମନ୍ଦିରକୁ ୯୮ ଲକ୍ଷ, ଛତ୍ରପୁର ବ୍ଲକ୍‌ର ସୁନ୍ଦରେଶ୍ଵର ମନ୍ଦିରକୁ ୧ କୋଟି ୫୦ ଲକ୍ଷ, ଗଞ୍ଜାମ ବ୍ଲକ୍‌ର ବଟେଶ୍ଵର ମନ୍ଦିର ସକାଶେ ଦେଢ଼ କୋଟି ଟଙ୍କା ମଞ୍ଜୁର କରିବାକୁ ଜିଲ୍ଲା ପରିଷଦ ପତ୍ରରେ ଅନୁରୋଧ କରାଯାଇଛି।

ପ୍ରକାଶ ଥାଉକି ପୂର୍ବରୁ ଜିଲ୍ଲାର ପ୍ରସିଦ୍ଧ ତାରାତାରାଣୀ ପୀଠର ନବକଳେବର ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢି ଠାକୁରାଣୀ ମନ୍ଦିରର ନବୀକରଣକୁ ମଞ୍ଜୁର ସହ ଅନୁଦାନ ପ୍ରଦାନ କରାଯାଇ ସାରିଛି। ଉଭୟ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍‌ର ବହୁ ମନ୍ଦିରକୁ ମଧ୍ୟ ପୃଥକ୍‌ ଭାବେ ଅର୍ଥ ମଞ୍ଜୁର ସହ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ୫-ଟି ସଚିବ ଭି.କେ.ପାଣ୍ଡିଆନ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କାଳରେ ଉପରୋକ୍ତ ମନ୍ଦିରଗୁଡିକର ବିକାଶ ବାବଦରେ ଲୋକଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରିଥିଲେ।

Comments are closed.