ଉର୍ମାଗଡ଼ ଜଳପ୍ରପାତରେ ଖସି ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଉର୍ମାଗଡ଼ ଜଳପ୍ରପାତରେ ଅଘଟଣ । ଗୋଡ଼ ଖସିଯିବାରୁ ପାଣିରେ ବୁଡି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା । ସେ ଦଶମ ଶ୍ରେଣୀରେ ପଢୁଛନ୍ତି।ରବିବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ ରାଖଲ । ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ରାଖଲଙ୍କ ସାଙ୍ଗମାନେ ବହୁତ ଖୋଜାଖୋଜି କରି ନପାଇବାରୁ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ରାତିସାରା ଖୋଜିଥିଲେ ମଧ୍ୟ ରାଖଲଙ୍କ କୌଣସି ସନ୍ଧାନ ମିଳିନାହିଁ । କଟ୍ରିଙ୍ଗିଆ ସରପଞ୍ଚ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

Comments are closed.