ନ୍ୟୁଜିଲ୍ୟାଣ୍ଡର ଲଗାତାର ଦ୍ବିତୀୟ ବିଜୟ

ହାଇଦ୍ରାବାଦ: ଚଳିତ ବିଶ୍ୱକପର ଷଷ୍ଠ ମ୍ୟାଚରେ ନ୍ୟୁଜଲାଣ୍ଡ ୯୯ ରନରେ ନେଦରଲ୍ୟାଣ୍ଡ୍ସକୁ ହରାଇଛି । ନ୍ୟୁଜିଲ୍ୟାଣ୍ଡର ଏହା ଲଗାତାର ଦ୍ବିତୀୟ ବିଜୟ । ଏହି ବିଜୟ ସହ ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ପରାସ୍ତ କରିଥିଲା ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୫୦ ଓଭରରେ ୭ ୱିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରିଥିଲା। ଜବାବରେ ନେଦରଲ୍ୟାଣ୍ଡ୍ସ ୪୬.୩ ଓଭରରେ ୨୨୩ ରନ୍ କରି ଅଲ୍ଆଉଟ୍ ହୋଇଥିଲେ। ଦଳ ତରଫରୁ କଲିନ୍ ଆକେରମ୍ୟାନ୍ ସର୍ବାଧିକ ୬୯ ରନ୍ କରିଥିଲେ । ଚଳିତ ବିଶ୍ୱକପରେ ନେଦରଲାଣ୍ଡ୍ସର ଏହା କ୍ରମାଗତ ଦ୍ବିତୀୟ ପରାଜୟ । ଦଳ‌ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାରିଥିଲା ।

ନ୍ୟୁଜିଲ୍ୟାଣ୍ଡ ତରଫରୁ ବାମହାତୀ ସ୍ପିନର ମିଚେଲ ସାଣ୍ଟନର୍ ୫୯ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସ୍ପିନର ଭାବେ ବିଶ୍ୱକପରେ ପାଞ୍ଚ ୱିକେଟ୍ ସଫଳତା ହାସଲ କରିଥିଲେ ।

ପୂର୍ବରୁ ନେଦରଲାଣ୍ଡ୍ସ ଟସ୍ ଜିତି ପ୍ରଥମେ ନ୍ୟୁଜିଲ୍ୟାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନ୍ୟୁଜିଲ୍ୟାଣ୍ଡ ଇନିଂସ୍ ୩୨୨/୭ ରନରେ ଶେଷ ହୋଇଥିଲା । ଦଳ ପକ୍ଷରୁ ଓପନର୍ ୱିଲ୍ ୟଙ୍ଗ୍ ୭୦ ରନ୍, ରାଚିନ୍ ରବିନ୍ଦ୍ର ୫୧ ଏବଂ ଟମ୍ ଲାଥାମ୍ ୫୩ ରନ୍ କରିଥିଲେ । ଡାରିଲ୍ ମିଚେଲ ୪୮ ରନ୍ ସଂଗ୍ରହ କରିଥିଲେ। ନେଦରଲାଣ୍ଡ୍ସ ତରଫରୁ ଆର୍ଯ୍ୟନ୍ ଦତ୍ତ, ପଲ୍ ୱାନ୍ ମିକେରେନ୍ ଏବଂ ରୋଲୋଫ୍ ଭାନ୍ ଡେର୍ ମେରୱେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ବାସ୍ ଡି ଲିଡ୍ ଗୋଟିଏ ୱିକେଟ୍ ପାଇଥିଲେ।

Comments are closed.