ଉଚ୍ଚ ବିଦ୍ୟାଳୟର ଶୈକ୍ଷିକ ବିକାଶ ପାଇଁ ବ୍ଲକସ୍ତରରେ ଆଲୋଚନା

ଭୁବନେଶ୍ୱର – ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବ୍ଲକ୍‌ର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁଁ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ସରକାରଙ୍କର ବିଭିନ୍ନ ଶିକ୍ଷା ଯୋଜନା ବିଷୟରେ ବିଇଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ, ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓତାହାର ସମାଧାନ, ଶିକ୍ଷାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଚାଳନା- ଏଭଳି ଅନେକ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଅକାଂକ୍ଷୀ ପାଠ୍ୟକ୍ରମ ଅଧୀନରେ କ୍ଲବ୍ ଗଠନ, ହାଉସ୍ ସିଷ୍ଟମ୍‌, ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଭଳି ଅନେକ ବିଷୟରେ ପର୍ଯ୍ୟାଲୋଚନା କରାଯାଇଥିଲା । ସ୍ମାର୍ଟ ଶ୍ରେଣୀଗୃହ, ଇ-ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ଶୁଦ୍ଧ ପାନୀୟ ଜଳ, ପୃଥକ ଶୌଚାଳୟ, ବିଦ୍ୟାଳୟ ପରିସରର ରକ୍ଷଣାବେକ୍ଷଣ ଆଦି ବିଷୟ ସହ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମାଗଣା ସାଇକେଲ ବାବଦ ଅର୍ଥରାଶି ବଣ୍ଟନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା । ପରେ ଏହି ବୈଠକ ଆୟୋଜିତ ହୋଇଥିବା ହାଇସ୍କୁଲ ପରିସରକୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ପରିଦର୍ଶନ କରି ମିଳିତ ଭାବରେ ଉକ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିଥିଲେ ।ପ୍ରତ୍ୟେକ ମାସର ପ୍ରଥମ ଶନିବାର ଏହି ବୈଠକ ଆୟୋଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

Comments are closed.