ବାହାନଗା ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହଗୁଡିକର ସତ୍କାର ଆରମ୍ଭ

ଭୁବନେଶ୍ବର – ବାହାନଗା ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହଗୁଡିକର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ୩ଟି ମୃତଦେହ ସଂସ୍କାର କରାଯାଇଛି । ଭରତପୁର ଶ୍ମଶାନରେ ଚିହ୍ନଟ ହୋଇପାରିନଥିବା ୩ଟି ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି।

ଏମ୍ସ ପକ୍ଷରୁ ଆଜି ଭୁବନେଶ୍ବର ମହାନଗର ନିଗମକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ସିବିଆଇର ଦିଲ୍ଲୀ ଅଧିକାରୀଙ୍କ ଉପସ୍ଥିତିରେ ବିଏମସିକୁ ଚିହ୍ନଟ ହୋଇପାରିନଥିବା ମୃତଦେହ ସବୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ଟିମ ଉପସ୍ଥିତିରେ ଭାରତପୁର ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ମୃତଦେହ ହସ୍ତାନ୍ତର ଠାରୁ ଶବ ସତ୍କାର ଯାଏଁ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ମୃତଦେହଗୁଡିକର ସତ୍କାର କରାଯିବ ।

ସୂଚନାଯୋଗ୍ୟ, ଜୁନମାସର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଭୁବନେଶ୍ଵରକୁ ୧୯୩ ମୃତଦେହ ଆସିଥିଲା । ଏଥିମଧ୍ୟରୁ ୩୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟ ଚିହ୍ନଟ କରିଥିଲେ । ଏହାପରେ ଏମସକୁ ୧୬୨ ମୃତଦେହ ଆସିଥିଲା । ଏଥିରୁ ୮୧ଟି ମୃତଦେହ ଚିହ୍ନଟ ହୋଇ ପାରିନଥିଲା । ମୃତଦେହ ଚିହ୍ନଟ ପାଇଁ ୧୧୦ ଜଣ ଡିଏନଏ ନମୁନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଡିଏନଏ ମେଳ ଖାଇବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅବଶିଷ୍ଟ ୨୮ ମୃତଦେହର ଡିଏନଏ କାହା ସହ ମ୍ୟାଚ୍ ହୋଇ ନଥିବାରୁ ଏମସରେ ସୁରକ୍ଷିତ ଭାବେ ରଖାଯାଇଥିଲା ।

Comments are closed.