ଶେଷରେ ବିଜୟ‌ ଖାତା ଖୋଲିଲା ଅଷ୍ଟ୍ରେଲିଆ, ଶ୍ରୀଲଙ୍କାର ଲଗାତାର ତୃତୀୟ ପରାଜୟ

ଲକ୍ଷ୍ନୌ: ଲଗାତାର ଦୁଇ ପରାଜୟ ପରେ ଅଷ୍ଟ୍ରେଲିଆ ଶେଷରେ ବିଜୟ‌ ଖାତା ଖୋଲିଛି । ସୋମବାର ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ବିଶ୍ୱକପର ୧୪ତମ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଓ୍ବିକେଟରେ ଶ୍ରୀଲଙ୍କାକୁ ହରାଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୪୩.୩ ଓଭରରେ ୨୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୩୫.୨ ଓଭରରେ ୫ ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

ତିନିଟି ମ୍ୟାଚରୁ ଏହା ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ । ଅନ୍ୟପକ୍ଷରେ ଶ୍ରୀଲଙ୍କାର ଏହା ହ୍ୟାଟ୍ରିକ ପରାଜୟ ।୨୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ଶୀଘ୍ର ଡେଭିଡ୍ ଓ୍ବାର୍ଣ୍ଣର (୧୧) ଓ ଷ୍ଟିଭ୍ ସ୍ମିଥ୍ (୦)ଙ୍କ ଓ୍ବିକେଟ୍ ହରାଇ ଦେଇଥିଲା ‌। ହେଲେ ମିଚେଲ ମାର୍ଶ ଓ ଜୋସ୍ ଇଂଲିଶଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ଏହି ସାଧାରଣ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା । ଇଂଲିଶ୍ ୫୯ ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ୫୮ ରନ୍ କରିଥିବା ବେଳେ ମାର୍ଶ ୫୧ ବଲରେ ୯ଟି ଚୌକା ସହ ୫୨ ରନ୍ କରିଥିଲେ । ମାର୍ନସ୍ ଲାବୁସେନ୍ ୪୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଗ୍ଲେନ୍ ମ୍ୟାକ୍ସଓ୍ବେଲ ଓ ମାର୍କସ ଷ୍ଟୋଇନିସ ଔପଚାରିକତା ପୂରଣ କରିଥିଲେ । ମ୍ୟାକ୍ସଓ୍ବେଲ ୩୧ ଓ ଷ୍ଟୋଇନିସ ୨୦ ରନ୍ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ତରଫରୁ ଦିଲସାନ୍ ମଧୁଶଙ୍କା ୩ଟି ଓ୍ବିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କୁସାଲ ପେରେରା ଏବଂ ନିସଙ୍କା ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୨୫ ରନ୍ ଯୋଡିଥିଲେ। ହେଲେ ଏହି ଯୋଡ଼ି ଭାଙ୍ଗିଯିବା ପରେ ଶ୍ରୀଲଙ୍କା ନିୟମିତ ୱିକେଟ୍ ହରାଇଥିଲା |

ଶ୍ରୀଲଙ୍କା ଶେଷ ୯ ୱିକେଟ୍ ମାତ୍ର ୮୪ ରନରେ ହରାଇଥିଲା। ଦଳ ପକ୍ଷରୁ ପେରେରା ସର୍ବାଧିକ ୭୮ ରନ୍ କରିଥିବା ବେଳେ ନିସଙ୍କା ୬୮ ରନ୍ ସଂଗ୍ରହ କରିଥିଲେ। ଏ ଦୁହିଁଙ୍କ ବ୍ୟତୀତ ଚରିଥ୍ ଆସାଲଙ୍କା (୨୫) ହିଁ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ ।

ଅଷ୍ଟ୍ରେଲିଆ ତରଫରୁ ସ୍ପିନର ଆଡାମ୍ ଜାମ୍ପା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।

Comments are closed.