ରାଜ୍ୟରେ ଆଗାମୀ ୧୬ ଯାଏଁ ଜାରି ରହିବ ଶୁଖିଲା ପାଗ ଓ ଗୁଳୁଗୁଳି 

ଭୁବନେଶ୍ୱର – ଶରତ ଋତୁରେ ଖରା ଦିନ ଭଳି ଅନୁଭବ । ରାଜ୍ୟର ଅନେକ ଅଞ୍ଚଳରେ ଗତ କିଛି ଦିନ ଧରି ଅସ୍ୱାଭାବିକ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି । ଟାଣ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଏବେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଫଳରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିଛି। ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ନାହିଁ। ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ମଧ୍ୟ ରହିଛି ଯାହା ଫଳରେ ବର୍ତ୍ତମାନ ରାଜ୍ୟରେ ଗତ ତିନି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି। ଏପରି ସ୍ଥିତି ଆଗକୁ ଆହୁରି ୫ ଦିନ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ୫ ଦିନ ମଧ୍ୟରେ (ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ) ରାଜ୍ୟର ଜିଲ୍ଲା ଗୁଡ଼ିକରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିବା ସମ୍ଭାବନା ରହିଛି। ପାଗ ଶୁଖିଲା ରହିବ। ମୁଖ୍ୟତଃ ସନ୍ଧ୍ୟା/ରାତି ବେଳକୁ ଆକାଶ ଆଂଶିକ ମେଘୁଆ ହୋଇପାରେ । ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୫ ଡିଗ୍ରୀ ଓ ୨୫ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comments are closed.