ଏକାମ୍ର ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ବର – ୫-ଟି ସଚିବ ଭି.କେ ପାଣ୍ଡିଆନ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଏକାମ୍ର ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ଦେଇଛନ୍ତି ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନର ପ୍ରକଳ୍ପ ହେଉଛି ଏକାମ୍ର ପ୍ରକଳ୍ପ। ଏକାମ୍ର କ୍ଷେତ୍ର ଓ କୀର୍ତ୍ତିରାଜି ପୁନରୁଦ୍ଧାର ଆକ୍ସନ ପ୍ଲାନ ବା ଏକାମ୍ର ପ୍ରକଳ୍ପର ଆଭିମୁଖ୍ୟ ରହିଛି ସହରାଞ୍ଚଳ ଡିଜାଇନ ଜରିଆରେ ପୁରୁଣା ଭୁବନେଶ୍ବରର ଐତିହ୍ୟଗତ ମୂଲ୍ୟବୋଧକୁ ପରିବର୍ଦ୍ଧିତ କରିବା । ଅନେକ ମନ୍ଦିର, ପବିତ୍ର ଜଳଧାରା, ଶୋଭାଯାତ୍ରା ମାର୍ଗ, ପାରମ୍ପରିକ ପୂଜକ ସମ୍ପ୍ରଦାୟ, ଅନେକ ସାଂସ୍କୃତିକ କାର୍ଯ୍ୟକଳାପରେ ସମୃଦ୍ଧ ପୁରୁଣା ଭୁବନେଶ୍ବର । ପୁରୁଣା ଭୁବନେଶ୍ବରର ଐତିହ୍ୟର ସୁରକ୍ଷା ସହ ବିନ୍ଦୁସାଗରର ପୁନରୁଦ୍ଧାର ଓ ଏକମ୍ର ବନ ପ୍ରକଳ୍ପ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଇଆସୁଛନ୍ତି ।

ଆଜି ସମସ୍ତ ଡିଜାଇନ ଚୂଡ଼ାନ୍ତ କରିବା, ନିର୍ମାଣ ସାମଗ୍ରୀ ଓ ଯନ୍ତ୍ରପାତି ଯୋଗାଡ କରିବା, ତାଳେଶ୍ବରରୁ କୋଟିତୀର୍ଥେଶ୍ବର ଯାଏ ଲିଙ୍କ ରୋଡ, ସାନଟୋରିୟମ ଛକରୁ ତାଳେଶ୍ବର ଯାଏ ବକ୍ସ ଡ୍ରେନ ଇତ୍ୟାଦି କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ସଚିବ । ସେହିପରି ଲିଙ୍ଗରାଜ ହାଟ ପଛପଟ ପୂର୍ବଦ୍ବାର ଛକର ଉଭୟ ପାର୍ଶ୍ବ ନିକଟରେ ଜନସୁବିଧା ବ୍ୟବସ୍ଥା ଓ ଦକ୍ଷିଣ ପଶ୍ଚିମ ପାର୍କିଂ ନିର୍ମାଣ କାର୍ଯ୍ୟ ସମାନ ସମୟରେ ଆରମ୍ଭ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ । ୫-ଟି ସଚିବଙ୍କ ସମୀକ୍ଷା ବେଳେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ.ଏସ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.