ବାଟଲା ହାଉସ୍ ଏନକାଉଣ୍ଟର: ଆତଙ୍କବାଦୀ ଆରିଜ୍ ଖାନର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବାଟଲା ହାଉସ୍ ଏନକାଉଣ୍ଟର ମାମଲାର ଦୋଷୀ ଆତଙ୍କବାଦୀ ଆରିଜ୍ ଖାନର ମୃତ୍ୟୁଦଣ୍ଡକୁ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ବଦଳାଇ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସିଦ୍ଧାର୍ଥ ମୃଦୁଲ ଏବଂ ଜଷ୍ଟିସ୍ ଅମିତ ଶର୍ମାଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା ଆରିଜ ଖାନ୍ । ମୃତ୍ୟୁଦଣ୍ଡ ବିରୋଧରେ ଆରିଜ ଖାନର ଆବେଦନ ଉପରେ କୋର୍ଟ ଗତ ମାସରେ ରାୟ ସଂରକ୍ଷିତ ରଖିଥିଲେ ।

ସେପ୍ଟେମ୍ବର ୨୦୦୮ରେ ଦକ୍ଷିଣ ଦିଲ୍ଲୀର ଜାମିଆ ନଗରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ସହିଦ୍ ହୋଇଥିଲେ। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ରାଜଧାନୀ ଦିଲ୍ଲୀରେ ସିରିଜ୍ ବୋମା ବିସ୍ଫୋରଣର କିଛି ଦିନ ପରେ ଜାମିଆ ନଗରରେ ଦିଲ୍ଲୀ ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଜାତୀୟ ରାଜଧାନୀରେ ଘଟିଥିବା ସିରିଜ୍ ବୋମା ବିସ୍ଫୋରଣରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୯ ଜଣ ଆହତ ହୋଇଥିଲେ ।

ମାର୍ଚ୍ଚ ୨୦୨୧ରେ ଟ୍ରାଏଲ କୋର୍ଟ ଆରିଜ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ତାକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଏହାଛଡ଼ା ଆରିଜ ଖାନ୍ ଉପରେ ୧୧ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ କୋର୍ଟ। ମୋହନ ଚାନ୍ଦ ଶର୍ମାଙ୍କ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Comments are closed.