ଇହ ଲୋକ ଓ ପରଲୋକ ମଧ୍ୟରେ ସଂଯୋଗର ସେତୁ ହେଉଛି ମହାଳୟା 

ହିନ୍ଦୁ ଦର୍ଶନରେ ପାପ ପୁଣ୍ୟର ବିଚାର ଏବଂ ଇହ ଲୋକ ଓ ପରଲୋକ ମଧ୍ୟରେ ସଂଯୋଗର ସେତୁ ହେଉଛି ମହାଳୟା । ଜୀବର ମୃତ୍ୟୁ ହେଲେ ମଧ୍ୟ ଆତ୍ମାର ବିଲୟ ହୁଏନାହିଁ ଏହି ସତ୍ୟକୁ ପ୍ରମାଣିତ କରେ ମହାଳୟା । ସମାଜକୁ ଶୃଙ୍ଖଳିତ କରି ଜନ ଜୀବନ ଧାରାକୁ ଏକ ଅପ୍ରତିହତ ସ୍ରୋତ ମଧ୍ୟରେ ଭସାଇ ନେବା ପାଇଁ ଆମ ଶାସ୍ତ୍ରରେ ସୃଷ୍ଟିହୋଇଛି ଓଷା, ବ୍ରତ ଓ ପର୍ବ ପର୍ବାଣି । ପୂର୍ବପୁରୁଷ ମାନଙ୍କ ପ୍ରତି ଉତ୍ତରପୁରୁଷ ମାନଙ୍କ ନିବିଡ଼ କର୍ତ୍ତବ୍ୟବୋଧ ଓ କୃତଜ୍ଞତାର ବାର୍ତ୍ତା ଦିଏ ମହାଳୟା ।

ମହାଳୟା ଅବସରରେ ଗୟାରେ ପିଣ୍ଡ ଦାନ ବହୁ ପୁଣ୍ୟଦାୟୀ ଅଟେ । ପୁଣ୍ୟ କାବ୍ୟ ରାମାୟଣରେ ମାଆ ସୀତାଙ୍କର ଗୟାଠାରେ ଫଲଗୁ ନଦୀରେ ଶ୍ୱଶୁର ଦଶରଥଙ୍କୁ ବାଲିପିଣ୍ଡ ପ୍ରଦାନ ଏକ ସୁନ୍ଦର ଉପାଖ୍ୟାନ ଅଛି । ଏହାର ସ୍ମୃତି ବହନ କରେ ମା’ ଜାନକୀଙ୍କ ଅଭିଶାପରୁ ଅନ୍ତଃ ସଲୀଳା ଫଲଗୁ ନଦୀ ।

ଆଶ୍ୱିନ ମାସ କୃଷ୍ଣ ପ୍ରତିପଦା ଦିନରୁ ପିତୃ ପୁରୁଷ ଗଣ ପିତୃଲୋକରୁ ମର୍ତ୍ତ୍ୟକୁ ଅବତରଣ କରନ୍ତି ଓ ଅମାବାସ୍ୟା ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି । ଏହି ପିତୃ ଲୋକ ସ୍ୱର୍ଗ ଓ ମର୍ତ୍ତ୍ୟର ମଧ୍ୟବର୍ତ୍ତୀ ଅଞ୍ଚଳ ଯେଉଁ ଠାରେ ତିନି ପୁରୁଷ ପର୍ଯ୍ୟନ୍ତ ପିତୃଲୋକ ବାସକରି ଥାନ୍ତି । ଚତୁର୍ଥ ପୁରୁଷର ଆଗମନ ହେଲେ ବରିଷ୍ଠ ପିତୃ ପୁରୁଷ ସ୍ୱର୍ଗ ଗମନ କରନ୍ତି । ପିତୃପକ୍ଷ ପିତୃ ପୁରୁଷ ମାନଙ୍କୁ ପୂଜା କରିବାର ପ୍ରକୃଷ୍ଠ ସମୟ ।

ଏଣୁ ଶ୍ରୀମଦ ଭାଗବତର ସପ୍ତମ ସ୍କନ୍ଧ ଚଉଦ ଅଧ୍ୟାୟରେ କୁହାଯାଇଛି –

ଆଶ୍ୱିନ ମାସ କୃଷ୍ଣପକ୍ଷେ ।
ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ ।।
ସମ୍ଭାର ଯଥା ଶକ୍ତି ମତେ ।
ପିତୃ ପୂଜିବ ଶ୍ରଦ୍ଧାଚିତ୍ତେ ।।
ଜ୍ଞାତି ସୁହୃଦ ବନ୍ଧୁଜନ ।
ଭୋଜନ ଦେବ ମିଷ୍ଟଅନ୍ନ ।।

ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କଲେ ପିତୃଲୋକ ଧରାବତରଣ କରନ୍ତି ଏବଂ ସୂର୍ଯ୍ୟ ଯେତେବେଳେ ପୁଣି କନ୍ୟାରୁ ଯାଇ ବିଛାରାଶିରେ ପ୍ରବେଶକରନ୍ତି ସେମାନେ ପୁଣି ପିତୃ ଲୋକକୁ ପ୍ରସ୍ଥାନ କରିଥାନ୍ତି । କିନ୍ତୁ ଶାସ୍ତ୍ର ନିର୍ଦ୍ଧେଶ ମତେ ମହାଳୟାରେ ଶେଷ ହେଉଥିବା କୃଷ୍ଣପକ୍ଷକୁହିଁ ପିତୃପକ୍ଷ ରୂପେ ପାଳନ କରାଯାଏ (ଅନ୍ଧାରରେ ଆସ ଆଲୁଅରେ ଯାଆ) । ପିତୃ ପକ୍ଷରେ ଯେ କୌଣସି ଦିନ ଶ୍ରାଦ୍ଧକରି ପିଣ୍ଡ ଦାନ କଲେ ପିତୃ ପୁରୁଷ ତାହା ଗ୍ରହଣ କରିଥାନ୍ତି । ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତର୍ପଣ ଓ ଅମାବାସ୍ୟା ଦିନ ବା ମହାଳୟା ଦିନ ଶ୍ରାଦ୍ଧ କରି ଏହି ପର୍ବର ଉଦଯାପନ କରାଯାଏ । ମହାଳୟା ଶ୍ରାଦ୍ଧରେ ମାତୁଳ କୂଳକୁ ପ୍ରାଧାନ୍ୟ ଦିଆଯାଉଥିବା ଦୃଷ୍ଟିରୁ ଏହାକୁ ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଏ । ପୁରୋହିତଙ୍କ ଦ୍ୱାରା ମନ୍ତ୍ରପାଠ କରି ଶ୍ରାଦ୍ଧକାରିର ନଅ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ପିତାଙ୍କର ତିନି ପୁରୁଷ ପିତା, ପିତାମହ, ପ୍ରପିତାମହ, ମାତାଙ୍କ ତିନିପୁରୁଷ ମାତା, ମାତାମହୀ, ପ୍ରମାତାମହୀ ଏବଂ ମଉଳାକୁଳର ତିନିପୁରୁଷ ମାତାମହ, ପ୍ରମାତାମହ ବୃଦ୍ଧପ୍ରମାତାମହ ଏମିତି ନଅ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ପ୍ରକାରାନ୍ତରେ ମାତୃକୂଳର ତିନିପୁରୁଷ ଓ ପିତୃ କୂଳର ତିନି ପୁରୁଷ ଆଦି ଛଅ ପୁରୁଷଙ୍କୁ ପିଣ୍ଡ ଦାନ ଦେବାର ଵିଧି ରହିଛି । ଅଜ୍ଞତା ବଶତଃ କାଳେ କୌଣସି ଅପୁତ୍ରିକ ବ୍ୟକ୍ତି ଵଂଶରେ ରହି ଯାଇ ଥିବେ ସେଥି ପାଇଁ ଏକ ସ୍ୱତନ୍ତ୍ର ପିଣ୍ଡ ବଢ଼ା ଯାଏ । ମହାଳୟା ଦିବସରେ କୂଳ ପୁରୋହିତଙ୍କୁ ନିମନ୍ତ୍ରଣ କରାଯାଏ ଏବଂ ପାଦ୍ୟ ଅର୍ଘ୍ୟ ଦେଇ ସ୍ୱାଗତ କରା ଯାଏ । ସାଧାରଣତଃ ଘରର ବଡ଼ ପୁଅ ପୁରୋହିତଙ୍କ ମନ୍ତ୍ରପାଠ ଓ ଅନ୍ୟାନ୍ୟ ପୂଜା ଆବାହନ ଦ୍ୱାରା ପିଣ୍ଡ ଦାନ କରିଥାନ୍ତି । ଅରୁଆ ଚାଉଳ, କ୍ଷୀର, ନଡ଼ିଆ, କଦଳୀ,ନବାତ, ଘିଅ, ମହୁ ଦ୍ୱାରା ପିଣ୍ଡ ପ୍ରସ୍ତୁତ କରାଯାଇ ପୁରୋହିତଙ୍କ ନିର୍ଦ୍ଧେଶ ମତେ କର୍ତ୍ତା ଦକ୍ଷୀଣ ଆଣ୍ଠୁ ତଳେ ଭରା ଦେଇ ପିଣ୍ଡ ସମର୍ପଣ କରନ୍ତି । ବ୍ରାହ୍ମଣମାନଙ୍କର ରନ୍ଧା ପିଣ୍ଡ ସମର୍ପଣ କରାଯାଏ । ଏହି ମହାଳୟା ଶ୍ରାଦ୍ଧ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତ ହିନ୍ଦୁପରିବାରରେ ପାଳନ କରାଯାଏ । ଶ୍ରାଦ୍ଧ ସମାପନରେ କର୍ତ୍ତାଙ୍କ ସମେତ ପରିବାରର ଅନ୍ୟାନ ସଦସ୍ୟ ନତଜାନୁ ହୋଇ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରଣତି ବାଢ଼ି ଥାନ୍ତି ଓ ଅଜ୍ଞାତରେ ହୋଇଥିବା ଅପରାଧ ପାଇଁ କ୍ଷମାପ୍ରାର୍ଥନା କରନ୍ତି । ଶ୍ରାଦ୍ଧ ସମାପ୍ତିରେ ବ୍ରାହ୍ମଣଙ୍କୁ ଭୁରି ଭୋଜନ ଦେଇ ଆପ୍ୟାୟିତ କରିବା ଏବଂ ଉପଯୁକ୍ତ ଦକ୍ଷିଣା ଦେଇ ସନ୍ତୁଷ୍ଟ କରିବା ବିଧେୟ । ବ୍ରାହ୍ମଣ ହେଉଛନ୍ତି ସ୍ୱୟଂ ଭଗବାନଙ୍କ ସ୍ୱରୂପ, ସେ ସନ୍ତୁଷ୍ଟ ହେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

ଏଣୁ ଭାଗବତର ତୃତୀୟ ସ୍କନ୍ଧ ଷୋହଳ ଅଧ୍ୟାୟରେ କୁହାଯାଇଛି :-
ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ ।
ମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ ।।

ଶ୍ରାଦ୍ଧ ଉପରାନ୍ତେ ପଡୋଶୀ, ଦୁଃଖୀ, ରଙ୍କି, ବ୍ରାହ୍ମଣ ଓ ସାଧୁ ସନ୍ୟାସୀମାନଙ୍କୁ ସାତ୍ଵିକଭୋଜନ ଦେଇ ପରିତୃପ୍ତ କଲେ ପିତୃ ପୁରୁଷଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ପିତୃଗଣଙ୍କ ଆଶୀର୍ବାଦ ପ୍ରାପ୍ତ ହେଲେ ମନୁଷ୍ୟ ଅଶେଷ ସୁଖ ଭୋଗ କରିଥାଏ । ଏଣୁ କୁହାଯାଏ,” ପିତା ମାତା କଲ୍ୟାଣରୁ ପୁତ୍ର ହୁଏସୁଖୀ । ପୁତ୍ର ଯଦି ହୁଏସୁଖୀ କୁଳଧର୍ମ ରଖି ।।” ପୁତ୍ର ଜନ୍ମଦେଇ ଲାଳନ ପାଳନ କରି ସମାଜରେ ପ୍ରତିଷ୍ଠିତ କରାଇବାରେ ପିତାର ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ପୁତ୍ର ପାଇଁ ପିତା ଦୁନିଆରେ ଶ୍ରେଷ୍ଠ ସମ୍ପଦ । ତାଙ୍କର ପରିତୃପ୍ତି ପାଇଁ କର୍ତ୍ତବ୍ୟ କରିବା ପୁତ୍ରର ଧର୍ମ ।

ଶାସ୍ତ୍ରରେ କୁହାଯାଇଛି :-

ପିତାଧର୍ମଃ,ପିତାସ୍ୱର୍ଗ, ପିତାହି ପରମୋତପଃ ।
ପିତରି ପ୍ରିତିମାପର୍ଣ୍ଣେ ପ୍ରିୟନ୍ତେ ସର୍ବ ଦେବତାଃ ।।

ଜଗତରେ ଜ’କାର ବିଶିଷ୍ଟ ପାଞ୍ଚଟି ଦୁର୍ଲଭ ପଦାର୍ଥ ଅଛି । ସେମାନେ ହେଉଛନ୍ତି ଜନନୀ, ଜନ୍ମ ଭୂମି, ଜାହ୍ନବୀ, ଜନାର୍ଦ୍ଦନ ଓ ଜନକ । ଏହି ପଞ୍ଚ ଦୁର୍ଲଭ ପଦାର୍ଥର ନିରାଜନା କରିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ କାରଣ ଏହାକୁ ଥରେ ହରାଇଲେ ଆଉ ମିଳେନାହିଁ ।

ଏଣୁ ଶାସ୍ତ୍ରରେ କୁହାଯାଇଛି :-

ଜନନୀ ଜନ୍ମଭୁମିଶ୍ଚ ଜାହ୍ନବୀଶ୍ଚ ଜନାର୍ଦ୍ଦନଃ ।

ଜନକଃ ପଞ୍ଚମଶ୍ଚଇଵଃ ଜକାରା ପଞ୍ଚ ଦୁର୍ଲଭଃ। ।।

ପିତା ଓ ପିତୃ ପୁରୁଷଙ୍କର ସନ୍ତୋଷ ବିଧାନ ପାଇଁ ପୁତ୍ରର ତିନୋଟି କର୍ମ କରିବା ବିଧେୟ   ଜୀବିତ ଅବସ୍ଥାରେ ପିତୃ ବାକ୍ୟ ବା ଆଦେଶ ପାଳନ । ପିତାଙ୍କ ମୃତ୍ୟୁରେ ଗୟାରେ ପିଣ୍ଡଦାନ ସହ ଜ୍ଞାତି, କୁଟୁମ୍ବ, ସୁହୃଦ, ବ୍ରାହ୍ମଣ, ସାଧୁ ଇତ୍ୟାଦିଙ୍କୁ ଭୁରି ଭୋଜନ ଦେଇ ପରିତୃପ୍ତ କରିବା ।

ସେଥି ପାଇଁ କୁହାଯାଇଛି :-
ଜୀବିତେ ବାକ୍ୟ କରଣମ୍,
ମୃତାହେ ଭୁରି ଭୋଜନମ୍ ।
ଗୟାୟା ପିଣ୍ଡ ଦାନେନ
ତ୍ରିଭି ପୁତ୍ରସ୍ୟ ପୁତ୍ରତା ।।

ପିତାଙ୍କ ଗୌରବ ବର୍ଣ୍ଣନା କରି ପିତୃ ସ୍ତବରେ କୁହା ଯାଇଛି :-
ଦେବତାଃଭ୍ୟ ପିତୃଭ୍ୟଶ୍ଚ ମହାଯୋଗାଭ୍ୟଏବ ଚ
ନମଃ ସ୍ୱାହା ସ୍ୱାଧାଇ ନିତ୍ୟମେବ ନମୋନମଃ ।
ବର୍ଣ୍ଣେ ଗୁରୁ ଵିମୃତ୍ୟlତ ପାପାତ ଗୋବଧେ ନାନା ପାତକଂ ।
ପିତୃ ଭକ୍ତି ପରାଜ୍ଞୟେ ସର୍ବେ ଯାନ୍ତି ପରାଙ୍ଗତି ।।

ଅର୍ଥାତ ଗୁରୁ,ବ୍ରାହ୍ମଣ, ଗୋବଦ୍ଧ ଭଳି ମହାପାତକ କରିଥିଲେ ମଧ୍ୟ ପିତୃଭକ୍ତି ପରାୟଣ ପୁତ୍ରର ତାହା ଖଣ୍ଡନ ହୋଇଥାଏ । ମହାଳୟା ପିଣ୍ଡଦାନ କରି ପିତୃପୁରୁଷଙ୍କୁ ତୃପ୍ତ କରିବା ପ୍ରତି ପୁତ୍ରର କର୍ତ୍ତବ୍ୟ । ଏଥି ପାଇଁ ବିବାହ ବନ୍ଧନରେ ଆବଦ୍ଧ ସମସ୍ତେ ପୁଅଟିଏ କାମନା କରିଥାନ୍ତି । ତେଣୁ କୁହା ଯାଏ
” ପୁତ୍ରlର୍ଥେ କ୍ରୀୟତେ ଭାର୍ଯ୍ୟା,
ପୁତ୍ରପିଣ୍ଡ ପ୍ରୟୋଜନମ୍ “।

ଗରୁଡ଼ ପୁରାଣରେ କୁହା ଯାଇଛି ବିନା ପୁତ୍ରରେ କୌଣସି ବ୍ୟକ୍ତିର ମୋକ୍ଷ ହୁଏନାହିଁ । ମାର୍କଣ୍ଡେୟ ପୁରାଣ କହେ ଶ୍ରାଦ୍ଧଦେଇ ପିତୃଗଣଙ୍କୁ ପରିତୃପ୍ତ କଲେ ମଣିଷ ସକଳ ଐଶ୍ୱର୍ଯ୍ୟ, ଯଶ ଓ ମୋକ୍ଷର ଅଧିକାରୀ ହୋଇଥାଏ । ପବିତ୍ର ଏହି ମହାଳୟା ତିଥିରେ ପିତୃପୁରୁଷ ମାନେ ଶ୍ରୀମନ୍ଦିରର ବାଇଶି ପାବଚ୍ଛରେ ଉପସ୍ଥିତ ରହି ଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମହାଳୟା ଅବସରରେ ବାଇଶି ପାବଛରେ ପିଣ୍ଡଦାନ କରାଯାଏ । ସମୟ ଓ ପରିସ୍ଥିତି ରେ ଏଥିରେ କିଛି ବ୍ୟତିକ୍ରମ ହୋଇଛି। ବର୍ତ୍ତମାନ ଶ୍ରୀମନ୍ଦିରର ଉତ୍ତର ଦ୍ଵାରରେ ପିଣ୍ଡଦାନ କରାଯାଉ ଅଛି।

Comments are closed.