ରାଜ୍ୟରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା, ୨ ଦଶମ ଶ୍ରେଣୀ ଛାତ୍ରଙ୍କ ସମେତ ୩ ମୃତ

ଭୁବନେଶ୍ୱର – ରାଜ୍ୟରେ ଆଜି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ରଣଶଙ୍ଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଆଉ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମୃତ ଓ ଆହତ ଛାତ୍ର ଦଶମ ଶ୍ରେଣୀରେ ପଢୁଥିଲେ । ତିନି ଜଣ ଛାତ୍ର ଆଜି ଚକୁଳେଶ୍ୱର ଗ୍ରାମରୁ ଟିଉସନ ସାରି ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ରଣଶଙ୍ଖଠାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ‌। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏଣେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବୃନ୍ଦାବାହାଲ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଓ ଆହତ ଗୋଟିଏ ପରିବାରର ବୋଲି ଜଣାପଡିଛି। ଶ୍ରାଦ୍ଧ ଭୋଜି ଖାଇ ଫେରୁଥିବା ବେଳେ ସେମାନେ ଯାଉଥିବା ସ୍କୁଟିକୁ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେଇଥିଲା ।

Comments are closed.