ଯୋଗାଯୋଗ କ୍ଷେତ୍ରରେ ରୂପାନ୍ତରଣ ଆଣିବ ‘ଲକ୍ଷ୍ମୀ’ : ୫ ଟଙ୍କାରେ ବ୍ଲକ ଓ ୧୦ ଟଙ୍କାରେ ଜିଲ୍ଲା ସଦରମହକୁମା ଯାଇପାରିବେ ଯାତ୍ରୀ

ଭୁବନେଶ୍ଵର: ସେ କେବଳ ଚକାଚକ୍‌ ନୂଆ ବସ୍‌ ନୁହେଁ ବରଂ ରାଜ୍ୟର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ସତେ ଯେମିତି ମା’ ଲକ୍ଷ୍ମୀଙ୍କ ଆଗମନ ହେଲା। ବସ୍‌ ରୂପରେ ଫିଟିଗଲା ଆର୍ଥିକ ଉନ୍ନତିର ମାର୍ଗ। କେବଳ ଯେ ଯୋଗାଯୋଗ ବ୍ୟବସ୍ଥା ସୁବିଧାଜନକ ହେଲା ତା ନୁହେଁ, ବରଂ ଲକ୍ଷ୍ମୀ ବସ୍‌ ଜରିଆରେ ଚାଷୀ, ମହିଳା, ବିଦ୍ୟାର୍ଥୀ, ଭିନ୍ନକ୍ଷମ ଆଦି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସକାଶେ ନିଜ ଗାରୁ ବ୍ଲକ୍ ସଦର ମହକୁମା ଅଥବା ବ୍ଲକ୍‌ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ସହଜରେ, ଅତ୍ୟନ୍ତ ସୁବିଧାଜନକ ଉପାୟରେ, ଆରାମଦାୟକ ଭାବେ ବାତାନୁକୂଳିତ ବସ୍‌ରେ ଯାତାୟାତ ସ୍ଵପ୍ନକୁ ବାସ୍ତବ କରିପାରିଲା। ପକେଟକୁ ଆଦୌ ବାଧିବନି, କାରଣ ଦର ଅତି ସାଧାରଣ ଯାହାକୁ ଯେକେହି ସୁରୁଖୁରୁରେ ବହନ କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଚାରଧାରାର ଆଉ ଏକ ପ୍ରତୀକ ଲକ୍ଷ୍ମୀ ବସ୍‌ ସେବା ରାଜ୍ୟର ଭୌଗୋଳିକ ଦୃଷ୍ଟିରୁ ପ୍ରତିକୂଳ ଅନେକ ଜିଲ୍ଳା ତଥା ବ୍ଲକ୍ ଏବଂ ଆଗରୁ ଏକରକମ ଅପହଞ୍ଚ ଥିବା ଗ୍ରାମକୁ ଏବେ ସଡ଼କ ଯୋଗାଯୋଗରେ ଯୋଡ଼ିପାରିଛି। ଏଥିସହ ସାଧାରଣ ଲୋକ ନାମକୁ ମାତ୍ର ବ୍ୟୟରେ ଏସି ବସ୍‌ରେ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିବେ। ଏଭଳି ବ୍ୟବସ୍ଥା ମାଲକାନଗିରି, ଗଜପତି, କନ୍ଧମାଳ ଭଳି ଆଦିବାସୀବହୁଳ ଜିଲ୍ଲାରେ ସଡ଼କ ଗମନାଗମନ ବ୍ୟବସ୍ଥାର ଦୃଶ୍ୟପଟ୍ଟକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଯାଉଛି।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଯେତେବେଳେ ଚକାଚକ୍‌, ଅତ୍ୟାଧୁନିକ ସୁବିଧାସମ୍ପନ୍ନ ଲକ୍ଷ୍ମୀ ବସ୍‌ ପହଞ୍ଚିଥିଲା, ସେତେବେଳେ ଲୋକଙ୍କ ଉତ୍ସାହ ଦେଖିବାର ଥିଲା। ମହିଳା ସଶକ୍ତୀକରଣ, ଆର୍ଥିକ ଓ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନର ବାର୍ତ୍ତାବହ ସାଜିଥିବା ଲକ୍ଷ୍ମୀ ବସ୍‌କୁ ମହିଳାମାନେ ହୁଳହୁଳି, ଫୁଲ, ବିଭିନ୍ନ ସାଜସଜା ମାଧ୍ୟମରେ ଭବ୍ୟ ସ୍ବାଗତ ଜଣାଇଥିଲେ। ମାଲକାନଗିରି ଜିଲ୍ଲାରେ ବହୁ ପ୍ରତିକ୍ଷୀତ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ଏକ ସଙ୍କେତ ଥିଲା ଯେ ରାଜ୍ୟର କୌଣସି ଦୁର୍ଗମ, ଭୌଗୋଳିକ ଦୃଷ୍ଟିରୁ ଅଗମ୍ୟ ଇଲାକା ଆଉ ଅପହଞ୍ଚ ହୋଇ ରହିବ ନାହିଁ। ଗାଁରୁ ବ୍ଲକ୍ ସଦର ମହକୁମା ଓ ସେହିପରି ଜିଲ୍ଲା ମୁଖ୍ୟାଳୟକୁ ରିହାତି ଦରରେ ମହିଳା, ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମମାନେ ମାତ୍ର ୫ରୁ ୮୦ ଟଙ୍କାରେ ସହଜରେ ଯାଆସ କରିପାରିବେ। କାରଣ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ଧ୍ଵଜାଧାରୀ ଏହି ଯୋଜନାରେ ଗାଁରୁ ବ୍ଲକ୍‌ ସଦରମହକୁମାକୁ ୫ ଗୋଟି କିଲୋମିଟର୍‌ ସ୍ଲାବ୍‌ରେ ଜଣେ ଯାତ୍ରୀକୁ ମାତ୍ର ୫ ଟଙ୍କାରୁ ସର୍ବାଧିକ ୩୦ ଟଙ୍କା ହିଁ ଦେବାକୁ ପଡ଼ିବ। ସେହିପରି ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ୫ ଗୋଟି ସ୍ଲାବ୍‌ରେ ମାତ୍ର ୧୦ରୁ ୮୦ ଟଙ୍କା ପଇଠ କରିବାକୁ ହେବ ଯାହାଦ୍ଵାରା କି ସେମାନେ ଅତ୍ୟାଧୁନିକ ଏସି ବସ୍‌ରେ ଆରାମଦାୟକ ଭାବେ ଯାତାୟାତ କରିପାରିବେ।

ଗ୍ରାମ୍ୟସ୍ତରରେ ସଡ଼କ ଯୋଗାଯୋଗର ଏଭଳି ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ସପ୍ତାହରେ ହିଁ ସେ ଏହି ଆର୍ଟ ଅଫ୍ ଦ ଷ୍ଟେଟ୍ ବସ୍ ସମୂହର ଉଦ୍‌ଘାଟନ କରିଥିଲେ। ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟରେ ଗ୍ରାମାଞ୍ଚଳକୁ ସଡ଼କ ପଥରେ ଯୋଡ଼ିବାର ଏହି ପଦକ୍ଷେପ ବାସ୍ତବରେ ସମାଜ ରୂପାନ୍ତରୀକରଣର ଆଉ ଏକ ଉତ୍କୃଷ୍ଟ ନଜିର ପାଲଟିବାକୁ ଯାଉଛି। ଜଣେ ଚାଷୀ ତା ଗାଁରୁ ବସ୍‌ରେ ବସି ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ବଜାରକୁ ଯାଇ ତା ଫସଲ, ପନିପରିବା, ଦୁଗ୍ଧଜାତ ସାମଗ୍ରୀ ସହଜରେ ବିକ୍ରି କରିପାରିବ।

ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲ କଲେଜକୁ ଅତି ସୁବିଧାରେ ଯାଆସ କରିବା ସ୍ବପ୍ନ ଏବେ ସତ ହୋଇଛି। ସେହିପରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କଥା କୁହନ୍ତୁ ବା ସାଧାରଣ ମହିଳାଙ୍କ କଥା କୁହନ୍ତୁ ଅତି ସହଜରେ ସେମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ।

ଭିନ୍ନକ୍ଷମଙ୍କ ପାଇଁ ଥିବା ରିହାତି ମଧ୍ୟ ସେମାନଙ୍କ ଗମନାଗମନକୁ ଆରାମଦାୟକ କରିବ। ଉନ୍ନତିର ପଥ ବା ପ୍ରକ୍ରିୟା ସମାଜର ସବୁ ବର୍ଗ ନିକଟରେ ଯେପରି ପହଞ୍ଚିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ବାସ୍ତବରେ ବେଶ୍ ଆନନ୍ଦଦାୟକ।

ଏହି ଲକ୍ଷ୍ମୀ ବସ୍ ସେବା ଯେତେବେଳେ ଦେଶର ଅନ୍ୟତମ ଉପାନ୍ତ ବ୍ଲକ୍ ଚିତ୍ରକୋଣ୍ଡାରେ ପହଞ୍ଚିଥିଲା ସେତେବେଳେ ଏକ ନୂଆ ଅୟମାରମ୍ଭର ଉତ୍ସବ ପାଳିଥିଲେ ଅଞ୍ଚଳବାସୀ, ମହିଳା ଗୋଷ୍ଠୀ। ସେମାନେ ସତେ ଯେମିତି ମା’ ଲକ୍ଷ୍ମୀଙ୍କୁ ସ୍ବାଗତ ଜଣାଇବାକୁ ଏକାଠି ହୋଇଥିଲେ। ବସ୍ ତଥା କର୍ମଚାରୀଙ୍କୁ ଫୁଲ, ତାଳି, ହୁଳହୁଳି ସହ ପାଛୋଟି ନିଆଯାଇ ଥିଲା। ଗମନାଗମନର ସ୍ବାଧୀନତା ଓ ସମୃଦ୍ଧିର ସ୍ୱାଚ୍ଛନ୍ଦ୍ୟତାର ବାର୍ତ୍ତା ବାଣ୍ଟିଥିଲା ମା’ ଲକ୍ଷ୍ମୀ ବସ୍। ମା’ଙ୍କ କରୁଣା ସେମାନଙ୍କ ଜୀବନକୁ ସୁଖମୟ କରିବ, ଆର୍ଥିକ ପ୍ରଗତିକୁ ସମୃଦ୍ଧ କରିବ ସେହି ଆଶା ତେଜୀୟାନ ହୋଇଛି।

ବାସ୍ତବରେ ରାଜ୍ୟ ସରକାରଙ୍କ ଏହି ଯୋଜନା ନିଜ ସ୍ତରରେ ଅଦ୍ବିତୀୟ । ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ନିଜ ଉତ୍କର୍ଷତା, ସାମର୍ଥ୍ୟ ପ୍ରତିପାଦିତ କରିସାରିଥିବା ମିଶନ୍ ଶକ୍ତି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କ ଉପରେ ରାଜ୍ୟ ସରକାର ଏହି ବସ୍‌ ଗୁଡ଼ିକର ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ଵ ନ୍ୟସ୍ତ କରିଛନ୍ତି। ଚିତ୍ରକୋଣ୍ଡାରେ ଗୁରୁପ୍ରିୟା ଫେଡେରେସନ୍ ଲକ୍ଷ୍ମୀ ବସ୍‌ଗୁଡ଼ିକର ପରିଚାଳନା ଭାର ସମ୍ଭାଳିବ। ଚାଲି ଚାଲି ବହୁ ଦୂର ଅତିକ୍ରମ କରୁଥିବା ତଥା ଘରୋଇ ଦୁଇ ଚକିଆ, ତିନି ଚକିଆ ବା ଚାରିଚକିଆ ଗାଡ଼ିରେ ଯାଆସ କରୁଥିବା ମହିଳାମାନେ ଏବେ ମହିଳାଙ୍କ ଦ୍ୱାରା ହିଁ ପରିଚାଳିତ ବସ୍‌ରେ ସୁରୁଖୁରୁରେ ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟକୁ ଯାଆସ କରିବେ। ସବୁଠାରୁ ବଡ଼ କଥା ମାତ୍ର ୧୦ ଟଙ୍କାର ରିହାତି ଦରରେ ମହିଳାଙ୍କ ଠାରୁ ଆରମ୍ଭ କରି ଭିନ୍ନକ୍ଷମ, ଛାତ୍ରଛାତ୍ରୀମାନେ ୮୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ରାସ୍ତାକୁ ଆରାମଦାୟକ ଏସି ବସ୍‌ରେ ଯାଆସ କରିପାରିବେ।

Comments are closed.