ଆରମ୍ଭ ହୋଇ ଯାଇଛି ପାର୍ବଣ। ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା। ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ।
କଥାରେ ଅଛି ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱକଲ୍ୟାଣୀ ସେ । ଘରେଘରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ମାଆଙ୍କ ଏହି ଦଶହରା ପର୍ବ ।
ଜଗତଜନନୀ ଦୁର୍ଗା , ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା, ଲକ୍ଷ୍ମୀ, ଦୟା, ଭ୍ରାନ୍ତି ରୂପରେ ସେ ସଂସ୍ଥିତା।
“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।
ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ।”
ଏହି ପ୍ରାର୍ଥନା କରି ମାଆଙ୍କ ଆରାଧନା କରାଯାଇ ଥାଏ।
ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଥିଲା। ନବରାତ୍ର ପୂଜାରେ ସାଧକ ମୂଳଧାର ଚକ୍ରରେ ସିଦ୍ଧ ହେବାପରେ କାୟ ମନ ବାକ୍ୟରେ ବ୍ରହ୍ମଚର୍ଯ୍ୟ ବ୍ରତରେ ପ୍ରତିଷ୍ଠିତ ହେବ। ଏହାପରେ ସିଏ ମାତୃ ସାଧନା ରେ ଅଗ୍ରସର ହୋଇପାରିବ। ଏହାସହ ଲକ୍ଷ୍ୟ ଭ୍ରଷ୍ଟ କରାଉଥିବା ରାହୁ ଗ୍ରହ ନିମନ୍ତେ ଦୂର୍ଗାଙ୍କର ଏହି ରୂପର ଆରାଧନା ମଧ୍ୟ କରା ଯାଇଥାଏ ।
Comments are closed.