ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣା, ବେଗୁନିଆ ଥାନା ଆଇଆଇସିଙ୍କୁ ବଦଳି

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ବଦଳି କରାଯାଇଛି। ଆଇଆଇସିଙ୍କୁ ପୋଲିସ ହେଡ୍ କ୍ୱାର୍ଟରଙ୍କୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିୟା । ଥାନାରେ ଥିବା ଜବତ ମଦ ଓ ବାଣର ଚୋରାଚାଲାଣ ଘଟଣା ଧରାପଡ଼ିବା ପରେ ଆଇଆଇସି ବିବାଦରେ ଥିଲେ । ଆଇଆଇସିଙ୍କ ସହ ଅନ୍ୟ ୬ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅଦଳବଦଳ କରାଯାଇଛି। ସୂଚନାଯୋଗ୍ୟ ଯେ, ଜବତ ବାଣ ଓ ମଦ ବେଗୁନିଆ ଥାନାରୁ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଥାନାରେ ନିୟୋଜିତ ଜଣେ ହୋମଗାର୍ଡ ଏକ ଗାଡ଼ିରେ ଜବତ ବାଣ ଓ ମଦ ନେଉଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ଲୋକେ ଅଟକାଇଥିଲେ । ପରେ ସଂପୃକ୍ତ ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଗାଡ଼ି ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ତେବେ ଥାନା ଆଇଆଇସିଙ୍କ ଜାଣତରେ ଜବତ ସାମଗ୍ରୀ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା।

Comments are closed.