ୱାର୍ଣ୍ଣର-ମାର୍ଶଙ୍କ ଶତକ: ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ଡେଭିଡ୍ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ଚମତ୍କାର ଶତକ ପରେ ଆଡାମ୍ ଜାମ୍ପାଙ୍କ ଯାଦୁକରୀ ବୋଲିଂ ବଳରେ ଅଷ୍ଟ୍ରେଲିଆ ଶୁକ୍ରବାର ଏଠାରେ ଅନୁଷ୍ଠିତ ବିଶ୍ୱକପର ଏକ ହାଇ ସ୍କୋରିଂ ମ୍ୟାଚରେ ପାକିସ୍ତାନକୁ ୬୨ ରନ୍‌ରେ ହରାଇ ଦେଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୩୬୭ ରନର ବିଶାଳ ସ୍କୋର କରିଥିଲା । ଦଳ ପକ୍ଷରୁ ୱାର୍ଣ୍ଣର ଓ ମାର୍ଶ ବିସ୍ଫୋରକ ଶତକ ସହ ପ୍ରଥମ ୱିକେଟରେ ରେକର୍ଡ ୨୫୯ ରନ୍ ଭାଗିଦାରୀ କରିଥିଲେ । ଏହି ବଡ଼ ଲକ୍ଷ୍ୟ ଜବାବରେ ପାକିସ୍ତାନ ମଧ୍ୟ ଭଲ ଆରମ୍ଭ କରିଥିଲା । ହେଲେ ଦଳ ମଝି ଓଭର ଗୁଡ଼ିକରେ ଦିଗହରା ହୋଇ ୪୫.୩ ଓଭରରେ ୩୦୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଦୁଇ ଓପନର ଅବଦୁଲ୍ଲା ଶଫିକ୍ (୬୪) ଓ ଇମାମ୍ ଉଲ୍ ହକ୍ (୭୦) ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ୍‌ରେ ୧୩୪ ରନ୍ ଯୋଗକରି ଦଳକୁ ଏକ ମଜବୁତ୍ ଷ୍ଟାର୍ଟ ଦେଇଥିଲେ । ହେଲେ ଏହିu ଯୋଡ଼ି ଭାଙ୍ଗିବା ପରେ ଦଳ ଚାପରେ ଆସି ନିୟମିତ ୱିକେଟ୍ ହରାଇଥିଲା । ଦୁଇ ଓପନରଙ୍କ ବ୍ୟତୀତ ମହମ୍ମଦ ରିଜୱାନ୍ ୪୬, ସୌଦ ସକିଲ୍ ୩୦ ଓ ଇଫତିକାର ଅହମ୍ମଦ ୨୬ ରନ୍ କରିଥିଲେ ।

ଅଷ୍ଟ୍ରେଲିଆ ତରଫରୁ ସ୍ପିନର ଜାମ୍ପା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ଓ ମାର୍କସ୍ ଷ୍ଟୋଇନିସ୍ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ହାରିଥିବା ଅଷ୍ଟ୍ରେଲିଆ ଏବେ ଲଗାତାର ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ପାକିସ୍ତାନର ଏହା କ୍ରମାଗତ ଦ୍ୱିତୀୟ ପରାଜୟ । ଏଥିସହ ଦଳ ପଞ୍ଚମ ସ୍ଥାନକୁ ଖସିଛି ।

ପୂର୍ବରୁ ପାକିସ୍ତାନ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ହେଲେ ପାକ୍ ଅଧିନାୟକ ବାବର ଆଜମଙ୍କ ଏହି ନିଷ୍ପତ୍ତି ତାଙ୍କ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲେ । ୱାର୍ଣ୍ଣର ଓ ମାର୍ଶ ଶତକୀୟ ପାଳି ସହ ପ୍ରଥମ ୱିକେଟରେ ୨୫୬ ରନର ରେକର୍ଡ ଭାଗିଦାରୀ କରି ଦଳକୁ ବଡ଼ ସ୍କୋର ପାଇଁ ଏକ ବଢ଼ିଆ ପ୍ଲାଟଫର୍ମ ଦେଇଥିଲେ । ବିଶ୍ୱକପରେ ଏହା ଅଷ୍ଟ୍ରେଲିଆ ପକ୍ଷରୁ ସର୍ବୋଚ୍ଚ ଓପନିଂ ଭାଗିଦାରୀ । ୱାର୍ଣ୍ଣର ୧୨୪ ବଲରେ ୧୪ଟି ଚୌକା ଓ ୯ଟି ଛକା ସହ ୧୬୩ ରନ୍‌ର ଆକର୍ଷଣୀୟ ଶତକ ହାସଲ କରିଥିଲେ । ଅବଶ୍ୟ ସେ ୧୦ ରନ୍ କରିଥିବା ବେଳେ ସାହିନ୍ ଆଫ୍ରିଦିଙ୍କ ବଲରେ ତାଙ୍କର ଏକ କ୍ୟାଚ ଛାଡ଼ି ଦେଇଥିଲେ ଉସାମା ମୀର । ଏହା ପାକି୍‌ସ୍ତାନକୁ ମହଙ୍ଗା ପଡ଼ିଥିଲା । ମାର୍ଶ ୧୦୮ ବଲ୍‌ରେ ୧୦ଟି ଚୌକା ଓ ୯ଟି ଛକା ସହ ୧୨୧ ରନ୍ କରିଥିଲେ ।

ୱାର୍ଣ୍ଣର ଓ ମାର୍ଶ ଯେଉଁଭଳି ବ୍ୟାଟିଂ କରୁଥିଲେ ଲାଗୁଥିଲା ଅଷ୍ଟ୍ରେଲିଆ ୪୦୦ ଟପିବ । ହେଲେ ପାକିସ୍ତାନୀ ବୋଲରମାନେ ପରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆର ରନ୍ ହାର ଉପରେ ଅଙ୍କୁଲ ଲଗାଇବାରେ ସଫଳ ହୋଇଥିଲେ । ପାକିସ୍ତାନ ପକ୍ଷରୁ ଆଫ୍ରିଦି ୫ଟି ୱିକେଟ୍ ନେଇଥିବା ବେଳେ ହାରିସ୍ ରାଉଫ୍ ୩ଟି ୱିକେଟ୍ ହାସଲ କରିଥିଲେ ।

Comments are closed.