ନେଦରଲାଣ୍ଡ୍ସକୁ ହରାଇ ଖାତା ଖୋଲିଲା ଶ୍ରୀଲଙ୍କା

ଲକ୍ଷ୍ନୌ: ଆଇସିସି ଦିନିକିଆ ବିଶ୍ୱକପର ୧୯ତମ ମ୍ୟାଚରେ ଶନିବାର ଏଠାରେ ନେଦରଲାଣ୍ଡ୍ସକୁ ୫ ଓ୍ବିକେଟରେ ହରାଇଛି ଶ୍ରୀଲଙ୍କା । ଲଗାତାର ୩ଟି ମ୍ୟାଚ୍ ହାରିବା ପରେ ଶ୍ରୀଲଙ୍କାର ଏହା ପ୍ରଥମ ବିଜୟ | ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡସ୍ ୪୯.୪ ଓଭରରେ ୨୬୨ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଶ୍ରୀଲଙ୍କା ୪୮.୨ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ଶ୍ରୀଲଙ୍କା ପାଇଁ ସାଦିରା ସମରବିକ୍ରମା ସର୍ବାଧିକ ଅପରାଜିତ ୯୧ ରନ୍ ସଂଗ୍ରହ କରିଥିଲେ । ପୃଥମ୍ ନିସଙ୍କା ୫୪ ରନ୍ କରିଥିବା ବେଳେ ଚରିତ୍ ଅସାଲଙ୍କା ୪୪ ରନ୍ କରିଥିଲେ। ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ଶ୍ରୀଲଙ୍କ ଖାତା ଖୋଲିବା ସହ ଦଶମରୁ ନବମ ସ୍ଥାନକୁ ଉନ୍ନୀତ ହୋଇଛି। ନେଦରଲାଣ୍ଡ୍ସ ଏହି ପରାଜୟ ପରେ ଅଷ୍ଟମ ସ୍ଥାନକୁ ଖସି ଆସିଛି।

ପୂର୍ବରୁ ଶ୍ରୀଲଙ୍କା ଟସ୍ ଜିତି ନେଦରଲାଣ୍ଡ୍ସକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ହେଲେ ଡଚ୍ ଟିମ୍ ଏକଦା ୯୧ ରନରେ ୬ ଓ୍ବିକେଟ୍ ହରାଇ ବଡ଼ ଅସୁବିଧାରେ ପଡ଼ିଥିଲା । ହେଲେ ସାଏବ୍ରାଣ୍ଡ୍ ଏଞ୍ଜେଲବ୍ରେଟ୍ (୭୦) ଓ ଲୋଗାନ୍ ଭାନ୍ ବିକ୍ (୫୯)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ନେଦରଲାଣ୍ଡ୍ସ ୨୫୦ ରନ୍ ଟପିବାକୁ ସକ୍ଷମ ହୋଇଥିଲା । ଏ ଦୁହେଁ ସପ୍ତମ ଓ୍ବିକେଟରେ ୧୩୦ ରନ୍ ଯୋଗ କରିଥିଲେ । ଶ୍ରୀଲଙ୍କା ତରଫରୁ ଦିଲସାନ୍ ମଧୁଶଙ୍କା ଓ କସୁନ୍ ରଜିତା ୪ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.