ବିରୋଧୀଙ୍କ ମୁହଁ ବନ୍ଦ : ସ୍ୱେଚ୍ଛାକୃତ ଅବସର ନେଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବରିଷ୍ଠ ଆଇଏଏସ୍ ଭି.କେ ପାଣ୍ଡିଆନ ପ୍ରଶାସନିକ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ପାଣ୍ଡିଆନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି । ୨୦୦୦ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଭି.କେ ପାଣ୍ଡିଆନଙ୍କ ଭିଆରଏସ ସହ ବିରୋଧୀ ଦଳଙ୍କ ମୁହଁ ଚୁପ୍ ହୋଇଯାଇଛି । ଭିଆରଏସ ନେଇ ତାଙ୍କୁ ସମାଲୋଚନା କରୁଥିବା ବିରୋଧୀ ଦଳଙ୍କୁ ଏକ ପ୍ରକାର କଡ଼ା ସନ୍ଦେଶ ଦେଇଛନ୍ତି ଭି.କେ ପାଣ୍ଡିଆନ । ତାଙ୍କୁ ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନାର ମଧ୍ୟ ଅନ୍ତ ଘଟାଇଛନ୍ତି ଭି.କେ ପାଣ୍ଡିଆନ ।

୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର ପାଣ୍ଡିଆନ । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ୨୦୦୫-୦୭ରେ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭-୧୧ ଯାଏଁ ଗଞ୍ଜାମର ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ପାଣ୍ଡିଆନ । ୨୦୧୯ରେ ୫ଟି ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ରୂପାନ୍ତରଣରେ ପ୍ରମୁଖ ଭୁମିକା ନେଇଥିଲେ ପାଣ୍ଡିଆନ । ବିଭିନ୍ନ ଐତିହ୍ୟ ପ୍ରକଳ୍ପର ନବକଳେବରରେ ରହିଛି ଭୂମିକା । ଦୁଆରେ ଦୁଆରେ ପହଞ୍ଚି ଲୋକଙ୍କ ସମସ୍ୟାର କରିଛନ୍ତି ସମାଧାନ । ପ୍ରାଶାସନିକ ସ୍ତରରେ ବିପ୍ଲବ ଆଣିଛନ୍ତି ପାଣ୍ଡିଆନ । ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାରେ ରହିଛି ତାଙ୍କର ମୁଖ୍ୟ ଭୂମିକା ।

Comments are closed.