ବିଶ୍ଵକପରେ ପୁଣି ବିପର୍ଯ୍ୟୟ ଘଟାଇଲା ଆଫଗାନିସ୍ତାନ, ଇଂଲଣ୍ଡ ପରେ ପାକିସ୍ତାନକୁ ଧୂଳି ଚଟାଇଲା

ଚେନ୍ନାଇ: ଚଳିତ ବିଶ୍ଵକପରେ ପୁଣି ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ହରାଇବା ପରେ ଆଫଗାନିସ୍ତାନ ଏବେ ପୂର୍ବତନ ଚାମ୍ପିୟନ ପାକିସ୍ତାନକୁ ହରାଇ ଦେଇଛି । ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ୮ ୱିକେଟରେ ପାକିସ୍ତାନକୁ ହରାଇ ଐତିହାସିକ ବିଜୟ ହାସଲ କରିଛି । ଦିନିକିଆ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ।

ଟସ୍ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୨ ରନ୍ କରିଥିଲା । ଜବାବରେ ଆଫଗାନିସ୍ତାନ ୪୯ ତମ ଓଭରରେ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

ଦଳ ପକ୍ଷରୁ ଓପନର ଇବ୍ରାହିମ ଜାଦ୍ରାନ୍ ସର୍ବାଧିକ ୮୭ ରନ୍ କରିଥିଲେ । ସେ ଓଃ ତାଙ୍କ ଓପନିଂ ପାର୍ଟନର ରହମାନୁଲ୍ଲା ଗୁରବାଜ୍ ପ୍ରଥମ ଓ୍ବିକେଟରେ ୧୩୦ ରନ୍ ଭାଗିଦାରୀ କରି ଏହି ଐତିହାସିକ ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ଏଥିମଧ୍ୟରୁ ଗୁରୁବାଜଙ୍କ ଅବଦାନ ଥିଲା ୬୫ ରନ୍। ଦଳୀୟ ସ୍କୋର ୧୯୦ ରନରେ ଆଫଗାନିସ୍ତାନ ଜାଦ୍ରାନଙ୍କ ୱିକେଟ୍ ହରାଇଥିଲା । ହେଲେ ରହମତ ଶାହା (୭୭*) ଓ ଅଧିନାୟକ ହାଶମତୁଲ୍ଲା ଶାହିଦି (୪୮*) ଅବିଭକ୍ତ ତୃତୀୟ ଓ୍ବିକେଟରେ ୯୬ ରନ୍ ଯୋଗକରି ଦଳକୁ ଜିତାଇଥିଲେ ।

ଆଫଗାନିସ୍ତାନର ଏହା ଦ୍ବିତୀୟ ବିଜୟ । ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ପାକିସ୍ତାନର ଏହା ହ୍ୟାଟ୍ରିକ ପରାଜୟ। ଦଳ ୫ଟି ମ୍ୟାଚରୁ ତୃତୀୟ ପରାଜୟ ସତ୍ତ୍ୱେ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି । ହେଲେ ଦଳକୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ଆହୁରି କଷ୍ଟକର ହୋଇଯାଇଛି। ଦଳକୁ ଏବେ ଅବଶିଷ୍ଟ ଚାରିଟି ମ୍ୟାଚ୍ ଜିତିବାକୁ ପଡ଼ିବ । ଏହାଛଡ଼ା ବାବରଙ୍କ ଦଳ ଅନ୍ୟ ଟିମ୍ ଗୁଡ଼ିକର ଫଳାଫଳ ଉପରେ ବି ନିର୍ଭର କରିବ ।

ପୂର୍ବରୁ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ୨୮୨/୭ରେ ସୀମିତ ରହିଥିଲା । ଦଳ ପକ୍ଷରୁ ଅଧିନାୟକ ବାବର ଆଜମ ୭୪ ରନ୍, ଅବଦୁଲ୍ଲା ସଫିକ୍ ୫୮, ସଦାବ ଖାନ ୪୦ ଓ ଇଫତିକାର ଅହମ୍ମଦ ୪୦ ରନ୍ କରିଥିଲେ । ଆଫଗାନିସ୍ତାନ ତରଫରୁ ସ୍ପିନର ନୂର୍ ଅହମ୍ମଦ ୩ଟି ଓ୍ବିକେଟ୍ ନେଇଥିଲେ। ନବୀନ ଉଲ୍ ହକ୍ ୨ଟି ଓ୍ବିକେଟ୍ ପାଇଥିଲେ ।

Comments are closed.