ବ୍ରହ୍ମପୁରରେ ‌୨୫ରୁ ଅଧିକ ପ୍ରମୁଖ ପୂଜା ମଣ୍ଡପ, ଦେଉଛନ୍ତି ମା’ଙ୍କୁ ମେଲାଣି

ବ୍ରହ୍ମପୁର: ରେଶମ ସହରରେ ଚଳିତ ବର୍ଷ ୨୫ରୁ ଅଧିକ ପ୍ରମୁଖ ତଥା ବଡ଼ ପୂଜା ମଣ୍ଡପ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଅନେକ ପୁରାତନ ପୂଜା ପେଣ୍ଡାଲ୍ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସି ଉଠୁଥିଲା। ସନ୍ଧ୍ୟା ଆଳତି ବେଳେ ଶ୍ରଦ୍ଧାଳୁଙ୍କ ସମାଗମରେ ପୂଜା ମଣ୍ଡପ ଗୁଡ଼ିକ ନିକଟରେ ସୃଷ୍ଟି ହେଉଥିଲା ଆଧ୍ୟାତ୍ମିକ ପରିବେଶ। ଦଶହରା ଛୁଟିରେ ସମାଜର ବିିଭିନ୍ନ ବର୍ଗର ଲୋକ ପୂଜା ମଣ୍ଡପ ଗୁଡ଼ିକ ବୁଲି ଦେବୀ ଦର୍ଶନ ସାଙ୍ଗକୁ ପାର୍ବଣ ମାହୋଲ ଉପଭୋଗ କରିଥିଲେ।

ତେବେ ବୁଧବାର ମା’ଙ୍କୁ ମେଲାଣି ଦେବା ସମୟ ଉପନୀତ ହୋଇଛି। ନଅ ଦିନ କାଳ ମା’ଜଗତଜନନୀଙ୍କୁ ପୂଜା ଆରାଧନା, ଆଳତୀ, ଭୋଗଲାଗି କରୁଥିବା ଶ୍ରଦ୍ଧାଳୁଙ୍କ ସମେତ ଆୟୋଜକ, ମଣ୍ଡପ ପରିଚାଳକ ଏବେ ବିସର୍ଜନ ପଟୁଆରରେ ଆସି ମୃଣ୍ମୟୀ ପ୍ରତିମାକୁ ବିଦାୟ ଦେଉଛନ୍ତି। ପ୍ରାୟ ଏକ ଦଶନ୍ଧି ପୂର୍ବ ପର୍ଯ୍ୟନ୍ତ ରେଶମ ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ସନ୍ଧ୍ୟାରେ ସହରର ବିଭିନ୍ନ ପୂଜା ମଣ୍ଡପର ମୂର୍ତ୍ତି ସବୁର ମେଳନ ହୋଇ ରାତିରେ ବିସର୍ଜନ କରାଯାଉଥିଲା। ଗୋପାଳପୁର ସମୁଦ୍ର, ଗଞ୍ଜାମ ସହର ନିକଟ ଋଷିକୁଲ୍ୟା ନଦୀ ସମେତ ବଡ଼ ବଡ଼ ପୋଖରୀ ଓ କେନାଲରେ ମୂର୍ତ୍ତି ବିସର୍ଜନ କରାଯାଉଥିଲା। ତେବେ ଗତ କିଛି ବର୍ଷ ହେବ ଜଳ ଓ ମୃର୍ତ୍ତିକା ବିସର୍ଜନର ପ୍ରତିକାର ଦୃଷ୍ଟିରୁ ଉପଖଣ୍ଡ ତଥା ବିଇଏମସି ପ୍ରଶାସନ ଦ୍ବାରା ଅସ୍ଥାୟୀ ଜଳାଶୟ ଖନନ କରି ପ୍ରତିମା ବିସର୍ଜନ ବ୍ୟବସ୍ଥା କରାଯାଉଛି। ଏଥର ସହରର ଚାରି ଦିଗରେ ଅସ୍ଥାୟୀ ପୋଖରୀ ଖୋଳି ପଲିଥିନ୍ ବିଛାଇ ଓ ସେଥିରେ ପାଣି ଭରି ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା ହୋଇଛି। ସେହି ଅନୁସାରେ ସହରର ବିଭିନ୍ନ ପୂଜା ମଣ୍ଡପ କର୍ତ୍ତୃପକ୍ଷ ନିଜର ନିକଟସ୍ଥ ଅସ୍ଥାୟୀ ଜଳାଶୟରେ ପ୍ରତିମା ବିସର୍ଜନ ଆରମ୍ଭ କରିଛନ୍ତି। ପୁଣି ଆର ବର୍ଷକୁ ଅପେକ୍ଷା। ବର୍ଷକ ପରେ ପୁଣି ଦେବୀଙ୍କ ପୂଜା ଆୟୋଜନ କରିବା ଆଶା ସହ ଏଥର ମା’ଙ୍କୁ ବିଦାୟ ଜଣାଇଛନ୍ତି ଭକ୍ତ।

Comments are closed.