ରାଜ୍ୟରେ ୨୧୬ଟି ନୂଆ ପୋଲିଂ ବୁଥକୁ ଅନୁମତି, ଜାନୁଆରୀ ୫ରେ ଚୂଡାନ୍ତ ଭୋଟର ଲିଷ୍ଟ

ଭୁବନେଶ୍ୱର – ରାଜ୍ୟରେ ୨୧୬ଟି ନୂଆ ପୋଲିଂ ବୁଥ୍ ଖୋଲିବ । ଏଥିପାଇଁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ନୂଆ ବୁଥର ଆବଶ୍ୟକତା ଦେଖାଦେଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ୧୮-୧୯ବର୍ଷ ବର୍ଗର ସମସ୍ତ ଯୋଗ୍ୟ ଭୋଟରଙ୍କ ପଞ୍ଜିକରଣ ପାଇଁ ରାଜ୍ୟରେ ୪ ଦିନ ସ୍ୱତନ୍ତ୍ର ଅଭିଯାନ ଚାଲିବ । ରାଜ୍ୟର ପ୍ରତ୍ୟେକ ବୁଥରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ଯୁବ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଇବେ । ନଭେମ୍ବର ୫,୧୧,୧୯ ଓ ୨୫ ତାରିଖରେ ଚାଲିବ ସ୍ୱତନ୍ତ୍ର ଅଭିଯାନ । ରାଜ୍ୟରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି ନିର୍ବାଚନ କମିଶନ । ଆଜି ଏକ ସର୍ବଦଳୀୟ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୭ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତାବର୍ଷ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ । ଚିଠା ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ଜିଲ୍ଲାସ୍ତରରେ ସବୁ ରାଜନୀତିକ ଦଳମାନେ ଏହି ଚିଠା ଭୋଟର ତାଲିକାର ଏକକିତା ଲେଖାଏଁ ନକଲି କପି ପାଇପାରିବେ । ଭୋଟର ତାଲିକାରେ ଥିବା ଦୋଷତ୍ରୁଟିକୁ ସୁଧାରିବା ପାଇଁ ଚଳିତମାସ ୨୭ରୁ ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଭୋଟରମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଡିସେମ୍ବର ୨୬ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ ।

Comments are closed.