ଶ୍ରୀକ୍ଷେତ୍ର ପୁରୀରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି ଗୋଷାଣୀ ଯାତ ବା ଦେବୀ ମେଳଣ

ଶାରଦୀୟ ପାର୍ବଣର ଶେଷଦିନରେ ପୁରୀ ସିଂହଦ୍ଵାର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ଗୋଷାଣୀ ଯାତ। ଏହି ଦିବ୍ୟ ମେଳଣରେ ପ୍ରଦର୍ଶିତ ବିବିଧ ପ୍ରତିମା ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ । ଏଥିରେ ମୁଖ୍ୟତଃ ପ୍ରତିମା ଗଠନରେ ମୂର୍ତ୍ତିକାର, ଚିତ୍ରକାର ଓ ଜଡ଼ଉତ ବା ଅଳଙ୍କରଣ ପାଇଁ ସୋଲ ଶିଳ୍ପୀଙ୍କ ଅବଦାନ ରହିଥାଏ । ଅଧିକାଂଶ ପ୍ରତିମା ଗଠନରେ ମୂର୍ତ୍ତି ଓ ଚିତ୍ରଣ ଏକକ ଶିଳ୍ପୀଙ୍କ ଦ୍ୱାରା ସମାହିତ ହୋଇଥାଏ । ଜଡ଼ଉତ ବା ଅଳଙ୍କରଣ କାର୍ଯ୍ୟ ସାଧାରଣତଃ ତିନି ପ୍ରକାରର ହୋଇଥାଏ, ସମ୍ପୂର୍ଣ୍ଣ ସୋଲର କାମ, ସୁନେଲୀ ଜରି ଜମ୍ବୁରାର କାମ ଓ ରୂପେଲୀ ରଙ୍ଗର ଜରି ଜମ୍ବୁରାର କାମ । ସୁଦୃଶ ମେଢ଼ ସହ ଅନେକ ପ୍ରତିମାର ଆୟୁଧ ମଧ୍ୟ ଏହି ଜଡ଼ଉତ କାମରେ ପ୍ରସ୍ତୁତ ହୋଇ ଲଗାଯାଇଥାଏ । ଏହି କାର୍ଯ୍ୟ ଅତ୍ୟନ୍ତ କଳାତ୍ମକ ଶୈଳୀରେ ଶୈଳ୍ପୀକ ଦକ୍ଷତା ସମ୍ପନ୍ନ ହୋଇଥାଏ।ଏହାର ସଂଯୋଜନା ରେ ପ୍ରତିମାଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ହୋଇ ଥାଆନ୍ତି । ଶ୍ରୀକ୍ଷେତ୍ରରେ ପୂଜିତ ପ୍ରତିମା ଓ ଅଳଙ୍କରଣର ଅନୁକରଣ ଓଡ଼ିଶାର ଅନ୍ୟତ୍ର ପ୍ରାୟତଃ ଦେଖାଯାଏ ନାହିଁ ।

ଆଶ୍ୱିନ ଶୁକ୍ଳ ଏକାଦଶୀ ଦିନ ସନ୍ଧ୍ୟାରେ ସିଂହଦ୍ୱାର ଠାରେ ଅନୁଷ୍ଠିତ ଶାରଦୀୟ ମେଳଣରେ ଅନେକ ପ୍ରତିମା ଏକତ୍ରିତ ହୋଇଥିଲେ।ଏଥିରେ ଶ୍ରୀମନ୍ଦିର ର ପୂର୍ବ, ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ରେ ସ୍ଥିତ ସାହି ମାନଙ୍କ ରେ ରହିଥିବା ଦେବୀପୀଠ, ଯାଗା, ଆଖଡ଼ା, ଗୁରୁଜ ଓ କୋଟ ଇତ୍ୟାଦି ପାରମ୍ପରିକ ତଥା ସାଂସ୍କୃତିକ ଅନୁଷ୍ଠାନରେ ପୂଜିତ ମୃଣ୍ମୟ ମୂର୍ତ୍ତିସମୂହ ଏକତ୍ରିତ ହୋଇଥିଲେ। ବିଭିନ୍ନ ସାହିରେ ପୂଜିତ ତଥା ଏହି ଗୋଷାଣୀ ଯାତ୍ରାରେ ଭାଗ ନେଉଥିବା ପ୍ରତିମା ମାନଙ୍କର ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦତ୍ତ କରାଗଲା ।

୧. ମା’ ବାରବାଟୀ :- ଅଷ୍ଟଭୂଜା, ଉଚ୍ଚତା ପ୍ରାୟ କୋଡ଼ିଏ ଫୁଟ-ସିଂହ ଓ ପାଶ୍ୱ ଦେବତା ନଥାନ୍ତି, ମହିଷାସୁର ମୁଣ୍ଡ ମହିଁଷୀ ଭଳି – ସାଜ ଅଳଙ୍କାର ଓ ମେଢ଼ ସୋଲ କାମରେ ହୋଇଥାଏ । ବିଶେଷତ୍ୱ- ସିଂହ ଦ୍ୱାରକୁ ପ୍ରଥମେ ଆସନ୍ତି । ଆସ୍ଥାନ- ବାରବାଟୀ ଯାଗା, ହରଚଣ୍ଡୀ ସାହି ।

୨. ମା’ ଜହ୍ନିମୁଣ୍ଡିଆ ଠାକୁରାଣୀ – ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଅଠର ଫୁଟ-ସିଂହ ଓ ପାଶ୍ୱର୍ ଦେବତା ନଥାନ୍ତି, ମହିଷାସୁର ମୁଣ୍ଡ ଅସୁର ଭଳି – ସାଜ ଅଳଙ୍କାର ଓ ମେଢ଼ ଜରି ଜମ୍ବୁରା କାମରେ ହୋଇଥାଏ । ଆସ୍ଥାନ – ଦୋଳମଣ୍ଡପ ସାହି

୩. ମା’ ଜହ୍ନିଖାଇ – ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଦଶ ଫୁଟ-ସିଂହରୂଢ଼ା ଓ ପାଶ୍ୱର୍ ଦେବତା ଥାଆନ୍ତି, ମହିଷାସୁର ମୁଣ୍ଡ ଊର୍ଦ୍ଧ୍ୱ ମୁଖା ମହିଁଷୀ ଭଳି – ସାଜ ଅଳଙ୍କାର ଓ ମେଢ଼ ସୋଲ କାମରେ ହୋଇଥାଏ । ଆସ୍ଥାନ- ବାଲିସାହି ଆଖଡ଼ା

୪. ମା’ ଜହ୍ନିଖାଇ – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ଦଶ ଫୁଟ-ସିଂହରୂଢ଼ା ଓ ପାଶ୍ୱ ଦେବତା ଥାଆନ୍ତି, ମହିଷାସୁର ମୁଣ୍ଡ ଉର୍ଦ୍ଧ୍ୱମୁଖା ମହିଁଷୀଭଳି – ସାଜ ଅଳଙ୍କାର ଓ ମେଢ଼ ସୁନେଲୀ ରଙ୍ଗ ଜରି ଜମ୍ବୁରା । ଆସ୍ଥାନ- ଗୌଡ଼ବାଡ଼ ସାହି ଆଖଡ଼ା ।

୫. ମା’ ହରଚଣ୍ଡୀ – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ଦଶ ଫୁଟ-ସିଂହରୂଢ଼ା ଓ ପାଶ୍ୱର୍ ଦେବତା ଥାଆନ୍ତି, ମହିଷାସୁର ମୁଣ୍ଡ ଋର୍ଦ୍ଧ୍ୱ ମୁଖା ମହିଁଷୀ ଭଳି – ସାଜ ଅଳଙ୍କାର ଓ ମେଢ଼ ସୁନେଲୀ ରଙ୍ଗ । ଆସ୍ଥାନ- ଧ୍ୱଜଗଡ଼ ଯାଗା, ହରଚଣ୍ଡୀ ସାହି

୬. ମା’ ବେଲବାଇ – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ବାର ଫୁଟ-ସୋଲ ସାଜ ଓ ମେଢ଼, ଆସ୍ଥାନ – ଖୁଣ୍ଟିଆ ସାହି

୭. ମା’ ପଣାପ୍ରିୟା – ଅଷ୍ଟଭୂଜା , ଉଚ୍ଚତା ପ୍ରାୟ ଦଶ ଫୁଟ- ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ -ବାସେଳୀ ସାହି ବୈଠକ ପିଣ୍ଡା ।

୮. ମା’ ବନଦୁର୍ଗା- ଚତୁର୍ଭୂଜା – ଶ୍ୱେତବର୍ଣ୍ଣା- କୃଷ୍ଣ ବସ୍ତ୍ର ପରିହିତା, ଆୟୁଧ ଧନୁତୀର ଚକ୍ର ଶଙ୍ଖ ଓ ମୟୂରହସ୍ତା, ପାଶ୍ୱର୍ରେ ବାମ – ଶିବ, ଦକ୍ଷିଣ- ବିଷ୍ଣୁ , ନିକଟରେ ଶ୍ୱାନ, ଉଚ୍ଚତା ପ୍ରାୟ ବାର ଫୁଟ । ଆସ୍ଥାନ – ମଣିକର୍ଣ୍ଣିକା ସାହି ।

୯. ମା’ ବନଦୁର୍ଗା- ଚତୁର୍ଭୂଜା – ଶ୍ୱେତବର୍ଣ୍ଣା- କୃଷ୍ଣ ବସ୍ତ୍ର ପରିହିତା, ଆୟୁଧ ଧନୁତୀର, ଚକ୍ର, ଶଙ୍ଖ ଓ ମୟୂରହସ୍ତା, ପାଶ୍ୱର୍ରେ ବାମ – ଶିବ, ଦକ୍ଷିଣ- ବିଷ୍ଣୁ , ନିକଟରେ ଶ୍ୱାନ, ଉଚ୍ଚତା ପ୍ରାୟ ବାର ଫୁଟ । ଆସ୍ଥାନ – ବାସେଳୀ ସାହି ।

୧୦. ମା ଗେଲବାଇ- ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ବାର ଫୁଟ-ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ-ମଣିକର୍ଣ୍ଣିକା ସାହି ।

୧୧. ମା’ ଗେଲବାଇ -ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଦଶ ଫୁଟ-ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ- ଗୁଡ଼ିଆ ସାହି ।

୧୨. ମା’ ଶୀତଳେଶ୍ୱରୀ – ଅଷ୍ଟଭୂଜା, ଉଚ୍ଚତା ପ୍ରାୟ ଦଶ ଫୁଟ-ଜରି ଜମ୍ବୁରା ସାଜ ଓ ମେଢ଼, ଆସ୍ଥାନ- ଶୀତଳ ପିଣ୍ଡା, ହରଚଣ୍ଡୀ ସାହି ।

୧୩. ମା’ ଶୂନ୍ୟ ଗୋଷାଣୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଭୂମିଠାରୁ ଛ’ଫୁଟ ଉଚ୍ଚତାରେ ବିଦ୍ୟମାନ, ଜରି ଜମ୍ବୁରା ସାଜ । ଦୁଇ ପାଶ୍ୱର୍ରେ ଛାୟା ମାୟା, ଆସ୍ଥାନ -ମାଟିମଣ୍ଡପ ସାହି ଆଖଡ଼ା ।

୧୪. ମା’ ଭୋଗଯାଗା ଠାକୁରାଣୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ବାର ଫୁଟ, ଜରି ଜମ୍ବୁରା ସାଜ । ଦୁଇ ପାଶ୍ୱର୍ରେ ଛାୟା ମାୟା, ଆସ୍ଥାନ -ଭୋଗଯାଗା, ମାଟିମଣ୍ଡପ ସାହି ।

୧୫. ମା’ ଯମକୋଟ ଠାକୁରାଣୀ -ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ଜରି ଜମ୍ବୁରା ସାଜ । ଦୁଇ ପାଶ୍ୱର୍ରେ ଛାୟା ମାୟା, ଆସ୍ଥାନ – ଗୁଡ଼ିଆ ସାହି , ଯମକୋଟ ।

୧୬. ମା’ ତ୍ରିିପୂରା ସୁନ୍ଦରୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ବାର ଫୁଟ, ଜରି ଜମ୍ବୁରା ସାଜ । ଆସ୍ଥାନ -ହରଚଣ୍ଡୀ ସାହି ଆଖଡ଼ା ।

୧୭. ମା’ ଚକ୍ରକୋଟ ଠାକୁରାଣୀ -ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୋଲ ସାଜ । ଆସ୍ଥାନ -ଚକ୍ରକୋଟ, ହରଚଣ୍ଡୀ ସାହି ।

୧୮. ମା’ ହରପ୍ରିୟା – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ -ହଜୁରୀ ଇଷ୍ଟେଟ୍, ହରଚଣ୍ଡୀ ସାହି ।

୧୯. ମା’ ମହତେଶ୍ୱରୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ -ଆସାମ ମଣିପୁର ଇଷ୍ଟେଟ୍, ପଶ୍ଚିମ ଦ୍ୱାର ।

୨୦. ମା’ ହରଚଣ୍ଡୀ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ବାର ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ- କରତି ସାହି ।

୨୧. ମା’ ହାଡ଼ବାଇ – ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ, ଉଚ୍ଚତା- ଦଶ ଫୁଟ, ସୁନେଲୀ ରଙ୍ଗ ଜରି ଜମ୍ବୁରା ସାଜ । ଆସ୍ଥାନ – ତିଆଡ଼ି ସାହି ।

୨୨. ରାବଣର ଦୁଇ ହସ୍ତରେ କୈଳାସ ପର୍ବତ ଉତ୍ଥାନ – ଦୁଇ ମୂର୍ତ୍ତି ( ଗୁଡ଼ିଆ ସାହି ଓ ହରଚଣ୍ଡି ସାହି)

୨୩. ହରପାର୍ବତୀ ଦୁଇ ମୂର୍ତ୍ତି

୨୪. ନନ୍ଦିଘୋଷା କୃତିରେ ହରପାର୍ବତୀ

୨୫. ଶ୍ରୀ କାମନାଶ୍ୱର ମହାଦେବ- ବାମରେ ପାର୍ବତୀ ଓ ଦକ୍ଷିଣରେ ନନ୍ଦୀ- ମାଟି ମଣ୍ଡପ ସାହି

୨୬. ମହାଦେବ – ଉଚ୍ଚତା ପ୍ରାୟ ତିନି ଫୁଟ, କାଳିକା ଦେବୀ ସାହି

୨୭. ସମ୍ପାତି – ମେଳଣର ଅନନ୍ୟ ଉପସ୍ଥାପନ – ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ନିକଟରେ ଥିବା ରଘୁନାଥ ମନ୍ଦିର ଉପରିଭାଗରେ ସ୍ଥିତ ମୂର୍ତ୍ତିର ଅବିକଳ ନକଲ । ବିଶାଳ ପକ୍ଷୀର ଦୁଇ ଡେଣାରେ ନଳ ନୀଳ ସୁଗ୍ରୀମ ଜାମ୍ବବାନ ଆଦି ଶ୍ରୀରାମ ସେନାଙ୍କ ବିରାଜମାନ । ଆସ୍ଥାନ – ସାତବଖରା ଯାଗା, ମାର୍କଣ୍ଡେଶ୍ୱର ସାହି ।

୨୮. ପର୍ଶୁରାମ – ଉଚ୍ଚତା ପ୍ରାୟ ତାରି ଫୁଟ, ହରଚଣ୍ଡୀ ସାହି ରାମଚନ୍ଦ୍ର ଖୁଣ୍ଟିଆଙ୍କ ଘରୋଇ ଉପସ୍ଥାପନ

୨୯. ଗାଈକୃଷ୍ଣ – ଉଚ୍ଚତା ପ୍ରାୟ ଚାରି ଫୁଟ । ମେଳଣର ଏକମାତ୍ର ଉପସ୍ଥାପନ

୩୦. ସୂର୍ଯ୍ୟମୁଖୀ ହନୁମାନ – ଦଶଭୂଜ ବିଶିଷ୍ଟ ଆୟୁଧ ସଂଯୁକ୍ତ – ଉଚ୍ଚତା ପ୍ରାୟ ଛ’ଫୁଟ । ଆସ୍ଥାନ- ଯାଦବ ପ୍ରତିହାରୀଙ୍କ ଘର , ମଣିକର୍ଣ୍ଣିକା ସାହି ।

୩୧. ପଞ୍ଚମୁଖୀ ହନୁମାନ – ଦଶଭୂଜ ବିଶିଷ୍ଟ ଆୟୁଧ ସଂଯୁକ୍ତ – ଉଚ୍ଚତା ପ୍ରାୟ ଛ’ଫୁଟ । ଆସ୍ଥାନ- ହନୁମାନଗଡ଼, ହରଚଣ୍ଡୀ ସାହି ।

୩୨. ପଞ୍ଚମୁଖୀ ହନୁମାନ – ଦଶଭୂଜ ବିଶିଷ୍ଟ ଆୟୁଧ ସଂଯୁକ୍ତ – ଉଚ୍ଚତା ପ୍ରାୟ ତିନି ଫୁଟ । ଆସ୍ଥାନ- ହରଚଣ୍ଡୀ ମନ୍ଦିର ନିକଟ ।

୩୩. ନାଗା – ପାଞ୍ଚ ମୂର୍ତ୍ତି, ଉଚ୍ଚତା- କୋଡ଼ିଏରୁ ବାଇଶ ଫୁଟ (ହରଚଣ୍ଡୀ ସାହି, ବାଲି ସାହି, ପଶ୍ଚିମ ଦ୍ୱାର, ନରେନ୍ଦ୍ର କୋଣ ଗଣେଶ ଗୁରୁଜ, ମାଜଣା ଯାଗା, ବଳଗଣ୍ଡି)

୩୪. ନାଗା- ତିନି ମୂର୍ତ୍ତି – ପାଞ୍ଚ ଫୁଟରୁ ସାତ ଫୁଟ ଉଚ୍ଚତା ।
୩୫. ବୁଢାବୁଢୀ- କଣ୍ଢେଇ ନାଚ- ମେଳଣର ଆକର୍ଷଣୀୟ ଉପସ୍ଥାପନ । ସୌଜନ୍ୟ- ବଢ଼େଇ ସାହି ।

ଏହା ବ୍ୟତୀତ ବୁଢ଼ା ବାବାଜୀ, ମଲ୍ଲ ସହିତ ବାଘର ଲଢ଼େଇ, ଡ଼୍ରାଗନ ସହିତ ମଲ୍ଲ ଲଢ଼େଇ, ହାଡ଼ିଆ ଭୂତ ଆଦି ମୂର୍ତ୍ତି ମଧ୍ୟ ପ୍ରଦର୍ଶିତ ହୋଇଥାଏ । ପାର୍ବଣର ଶେଷ ଦିନର ସନ୍ଧ୍ୟାରେ ଉପର ବର୍ଣ୍ଣିତ ଦିବ୍ୟ ଆକର୍ଷଣୀୟ ମୂର୍ତ୍ତି ସମୂହର ପ୍ରଦର୍ଶନରେ ସିଂହଦ୍ୱାର ନିକଟ ପ୍ରଶସ୍ତ ଅଞ୍ଚଳ ଜନସମାଗମରେ ମୁଖରିତ ହୋଇ ଉଠିଥିଲା। ସହରର ଗଳିକନ୍ଦିରେ ପାର୍ବଣ ଅବସରରେ ପୂଜିତ ମୂର୍ତ୍ତିମାନଙ୍କୁ ଦର୍ଶନ କରିବା ସୁଯୋଗ ସମସ୍ତଙ୍କୁ ପ୍ରାପ୍ତ ହୋଇନଥାଏ, ଏଣୁ ଏହି ମେଳଣ, ସ୍ଥାନୀୟ ତଥା ପର୍ଯ୍ୟଟକମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହୋଇଥିଲା । ପୁରୀରେ ଏହି ମେଳଣକୁ ଗୋଷାଣୀ ଯାତ କୁହାଯାଏ । ଏହି ସାମୁହିକ ପ୍ରଦର୍ଶନ ଶିଳ୍ପୀମାନଙ୍କର ପାରମ୍ପରିକ ଦକ୍ଷତାର ଏକ ଉଜ୍ଜ୍ୱଳ ନମୁନା ହୋଇଥିବା ବେଳେ ଆମ ଐତିହ୍ୟର ପ୍ରଲୁବ୍ଧ ବୁନିଆଦିକୁ ଉଜ୍ଜୀବିତ କରିଥାଏ । ଶେଷରେ ଦେବୀ ପ୍ରତିମା ସମୂହକୁ ଶ୍ରୀମନ୍ଦିର ରେ ମହାଦୀପ ଉଠିବା ପରେ ନିର୍ଦ୍ଦିଷ୍ଟ ରୀତିରେ ବିସର୍ଜନ କରାଯାଇ ଶାରଦୀୟ ପାର୍ବଣର ଅନ୍ତ ଘଟିଥିଲା ।

Comments are closed.