ଗଞ୍ଜାମରେ ଉଦ୍ୟୋଗୀଙ୍କ ପାଇଁ ହେବ ଦୁଇ ଏମ୍‌ଏସ୍‌ଏମ୍‌ଇ ପାର୍କ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏକା ସମୟରେ ଦୁଇଗୋଟି ଏମ୍‌ଏସ୍‌ଏମ୍‌ଇ (ମଧ୍ଯମ, କ୍ଷୁଦ୍ର ଏବଂ ଅଣୁ ଶିଳ୍ପ) ପାର୍କ ପ୍ରତିଷ୍ଠା କରାଯିବ। କୁକୁଡ଼ାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ବରପଲ୍ଲୀ ଏବଂ ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବଳରାମପୁର ଠାରେ ଏହି ଦୁଇଟି ମଲ୍ଟି ପରପୋଜ୍ ଏମ୍‌ଏସ୍‌ଏମ୍‌ଇ ପାର୍କ କାର୍ଯ୍ୟକାରୀ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁବ ଉଦ୍ୟୋଗୀଙ୍କୁ ସ୍ବାବଲମ୍ବୀ କରିବା ଓ ଜିଲ୍ଲାରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ଉଭୟ ଏମ୍‌ଏସ୍‌ଏମ୍‌ଇ ପାର୍କ ସକାଶେ ଇତିମଧ୍ୟରେ ଇଡକୋ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ଯରେ ଜମି ଲିଜ୍‌ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯାଇଛି। ଏବେ ଏହି ଦୁଇଗୋଟି ପ୍ରକଳ୍ପକୁ ଗୋ-ସ୍ବିଫ୍ଡ ପୋର୍ଟାଲ୍‌ରେ ଅପଡେଟ୍‌ କରିବାକୁ ଶିଳ୍ପ ଉନ୍ନୟନ ନିଗମ (ଇଡକୋ)କୁ ନିବେଦନ କରାଯାଇଛି।

ଚଳିତ ମାସ ୭ ତାରିଖରେ ବରପଲ୍ଲୀ ଏମ୍‌ଏସ୍‌ଏମ୍‌ଇ ପାର୍କ ଓ ୧୯ ତାରିଖରେ ବଳରାମପୁର ଏମ୍‌ଏସ୍‌ଏମ୍‌ଇ ପାର୍କର ଜମି ଲିଜ୍‌ ଶେଷ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଇଡ୍‌କୋ ମୁଖ୍ୟାଳୟ ଅଧିକାରୀଙ୍କ ମଧ୍ଯରେ ଏହି ଲିଜ୍‌ ହୋଇଛି। ଲିଜ୍‌ ଡିଡ୍‌ ସମ୍ପର୍କିତ ସମସ୍ତ କାଗଜପତ୍ର ଇଡ୍‌କୋ ମୁଖ୍ୟାଳୟକୁ ପ୍ରେରଣ କରାଯାଇଛି। ଶୀଘ୍ର ଶିଳ୍ପଦ୍ୟୋଗୀଙ୍କୁ ବରପଲ୍ଲୀ ଓ ବଳରାମପୁର ଏମ୍‌ଏସ୍‌ଏମ୍‌ଇ ପାର୍କରେ ଜମି ଆବଣ୍ଟନ ପ୍ରକ୍ରିୟା ତ୍ବରାନ୍ବିତ କରାଯିବ। ଗୋ-ସ୍ବିଫ୍ଟ ପୋର୍ଟାଲ୍‌ରେ ଅପଡେଟ୍‌ ହେବା ପରେ ଆଶାୟୀଙ୍କ ଠାରୁ ଆବେଦନ ଗ୍ରହଣ କରାଯିବ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସିଙ୍ଗଲ୍‌ ଓ୍ବିଣ୍ତୋ କମିଟି ଆବେଦନ ଯାଞ୍ଚ କରି ଅନୁମୋଦନ ପ୍ରଦାନ କରିବ।

ବରପଲ୍ଲୀରେ ପୂର୍ବରୁ ଜବରଦଖଲରେ ଥିବା କିଛି ଜମିକୁ ନିଜ ମାଲିକାନା ଅଧୀନକୁ ନେଇ ଇଡ୍‌କୋ ୩୦ ଏକର ଜମିରେ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନ ପାଇଁ ଯୋଜନା କରିଥିଲା। ତାହା ଏବେ ବାସ୍ତବ ରୂପ ନେବ। ଏହି ପାର୍କରେ ୬୨ଟି ଛୋଟ ବଡ଼ ଶିଳ୍ପ ସଂସ୍ଥାକୁ ସ୍ଥାନ ଆବଣ୍ଟନ କରାଯିବ। ଗତ ବର୍ଷରୁ ଏହାର ଭିତ୍ତିଭୂମି ବିକାଶ କରାଯାଉଛି। ଅପରପକ୍ଷରେ ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ବଳରାମପୁର ଓ କୁକୁଡ଼ାଖଣ୍ତି ତହସିଲ ଅନ୍ତର୍ଗତ ଖଇରବେଠିକୁ ମିଶାଇ ୧୭ ଏକରରୁ ଅଧିକ ଜମିରେ ଦ୍ଵିତୀୟ ଏମ୍‌ଏସ୍‌ଏମ୍‌ଇ ପାର୍କ ପରିକଳ୍ପନା କରାଯାଇଛି। ଏଠାରେ ପ୍ରାୟ ୪୦ରୁ ଅଧିକ ଶିଳ୍ପ ସ୍ଥାପନ ପାଇଁ ଯୋଜନା ରହିଛି।

Comments are closed.