ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ହତ୍ୟାକାଣ୍ଡ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଓ ବୁଗୁଡ଼ା ଥାନା ଇଲାକାରେ ଶୁକ୍ରବାର ସକାଳେ ପୃଥକ୍ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ ଓ ଜଣେ ବ୍ୟବସାୟୀ ପ୍ରାଣ ହରାଇଛନ୍ତି।

ଶେରଗଡ଼ ବ୍ଲକ୍ ତଥା ଥାନା ଅନ୍ତର୍ଗତ ଲାଞ୍ଜିଆପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଘରୁ ଡାକି ଗାଁ ଦାଣ୍ଡରେ ଗଳା କାଟି ଓ ପରେ ପଥରରେ ଛେଚି ହତ୍ଯା କରାଯାଇଛି। ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ମଙ୍ଗୁଳୁ ଭୂୟାଁ (୩୦)। କିଛି ଦୁର୍ବୃତ୍ତ ସକାଳ ପ୍ରାୟ ୯ଟାରେ ମଙ୍ଗୁଳୁଙ୍କ ଘରକୁ ଆସି ଡାକିଥିଲେ। ସେ ଘର ବାହାରକୁ ଆସିବା ପରେ ତାଙ୍କୁ ଘେରି ଛୁରୀରେ ବେକ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରିବା ପରେ ପଥର ଛେଚି ହତ୍ଯା କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ମୃତକଙ୍କ କିଛି ଚିହ୍ନା ପରିଚିତ ତଥା ସମ୍ପର୍କୀୟ ଥିବାରୁ ପାରିବାରିକ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଆସିକା ଏସଡିପିଓ ଉମାଶଙ୍କର ସିଂ, ଶେରଗଡ ଥାନାଧିକାରୀ ବରେନ୍ଦ୍ର ସିଆଳ ଘଟଣାସ୍ଥଳରେ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସେହିପରି ବୁଗୁଡ଼ା ଥାନା କିରିଆମ୍ବ ଗାଁରେ ଜଣେ ଦୋକାନୀଙ୍କୁ ହତ୍ୟା କରାଯାଇଛି। କାହିଁକି ଓ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନି। ବ୍ୟବସାୟୀକ ଶତ୍ରୁତା କିମ୍ବା ଅର୍ଥ ଲୁଟପାଟ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Comments are closed.