ଗୋପାଳପୁର ସମୁଦ୍ରରେ ବୁଡ଼ିଗଲେ ନୟାଗଡ଼ର ଯୁବକ

ଗୋପାଳପୁର: କୁମାର ପୂର୍ଣ୍ଣିମା ଦିନକ ପୂର୍ବରୁ ଗୋପାଳପୁର ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଅଶାନ୍ତ ବଙ୍ଗୋପସାଗରର ଗଭୀର ପାଣିରେ ବୁଡ଼ି ନୟାଗଡ଼ ସହରର ଓମକାର ନାମକ ଜଣେ ୨୮ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଛନ୍ତି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଗୋପାଳପୁର ସମୁଦ୍ରରେ ୮ ଜଣ ସାଙ୍ଗ ଏକାଠି ସ୍ନାନ କରୁଥିଲେ। ମାତ୍ର ସମୁଦ୍ରର ଅଣ୍ଡର୍ କରେଣ୍ଟ (ତଳସ୍ତରର ପ୍ରଖର ସୁଅ)ରେ ଓମକାର ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ନିୟୋଜିତ ଲାଇଫ୍ ଗାର୍ଡଙ୍କ ସମେତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଓମକାରଙ୍କ କୌଣସି ପତ୍ତା ମିଳିପାରିନି।

ପ୍ରକାଶ ଥାଉକି କିଛି ଦିନ ତଳେ ହିଞ୍ଜିଳିକାଟୁର ଜଣେ ସ୍କୁଲ ଛାତ୍ର ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଇଥିଲେ। ତିନି ଦିନ ପରେ ତାଙ୍କ ମୃତଦେହ ଗୋପାଳପୁର ଠାରୁ କିଛି ଦୂରରେ ମିଳିଥିଲା। ଅପରପକ୍ଷରେ ଗତ ମାସକ ମଧ୍ୟରେ ପ୍ରାୟ ଏକ ଡଜନରୁ ଅଧିକ ପର୍ଯ୍ୟଟକ, ସ୍ଥାନୀୟ ଯୁବକଙ୍କୁ ସମୁଦ୍ରରେ ଗାଧୋଉଥିବା ତଥା ଭାସି ଯାଉଥିବା ବେଳେ ଲାଇଫ୍ ଗାର୍ଡମାନେ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛନ୍ତି।

Comments are closed.