ଦେଶପ୍ରେମର ଉଚ୍ଛ୍ୱାସ ଓ ବୀର ଶହୀଦମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ସମାପନ

ଭୁବନେଶ୍ୱର – ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହୀତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ଆସନ୍ତା କାଲିଠାରୁ ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ।

୭୫ ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ । ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ପୁଣ୍ୟ ଭୂମି। ଏ ମାଟିରେ ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବ ପାଇଁ ଅନେକ ବୀର ଶହୀଦ ହୋଇଛନ୍ତି। ସେହି ବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକ ମହତର କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଧନ୍ୟବାଦ ଦେବା ସହ ଏହି ସମସ୍ତ ପୁଣ୍ୟ ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତ ଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ ହେବ ବୋଲି କହିଥିଲେ । ଏହି ଅମୃତ ବାଟିକା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିବା ସହ ଆଗାମୀ ପୀଢିକୁ ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନର ମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଆହୁରି ଉଜ୍ଜ୍ୱଳ କରିବ ଏବଂ ଏକ ନୂଆ ଓଡିଶା ତଥା ନୂଆ ଭାରତ ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।

ଏହି ଅବସରରେ ସବୁ ପଞ୍ଚାୟତରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓଡିଶାର ସବୁ ଭାଇ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ମାଟି କଳସ ଯାତ୍ରାରେ ସାମିଲ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପଞ୍ଚାୟତିରାଜ, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ବୀର ସଂଗ୍ରାମୀମାନଙ୍କ ପ୍ରତି ସମ୍ମାନ ଜଣାଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସବୁ ପଞ୍ଚାୟତରେ ଜନସାଧାରଣ ସାମିଲ ହୋଇ ବୀର ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରି ସମ୍ମାନ ଜଣାଇଛନ୍ତି।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ଏକ ମନ ଏକ ପ୍ରାଣ ହୋଇ ରାଜ୍ୟ ଓ ଦେଶ ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.