ହୃଦଘାତରେ ଚଳନ୍ତା ବସ୍ ଡ୍ରାଇଭର ମୃତ,ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ -ଯାତ୍ରୀବାହୀ ବସ୍ ଗନ୍ତବ୍ୟ ସ୍ଥଳକୁ ସୁରୁଖୁରୁରେ ଯାଉଥିଲା । ବସରେ ଥିଲେ ୫୦ରୁ ଅଧିକ ଯାତ୍ରୀ । କିନ୍ତୁ ହଠାତ୍ ବସ୍ ଡ୍ରାଇଭରକୁ ହୃଦଘାତ ହେଲା । ହେଲେ ସୌଭାଗ୍ୟବଶତଃ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ବସ। ରକ୍ଷା ପାଇଗଲେ ଯାତ୍ରୀ ।
ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ଠାରୁ ଭୁବନେଶ୍ୱର ଯାଉଥିବା ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି -୦୨ ଏକ୍ୟୁ -୭୭୦୧ ) ପାବୁରିଆ ଠାରୁ ଜି. ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ଦୂରରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି I ଡ୍ରାଇଭର ସନା ପ୍ରଧାନ (୫୨) ବସକୁ ସାରଙ୍ଗଗଡ଼ରୁ ଠିକ୍ ଭାବେ ଚଳାଇ ଆସୁଥିଲେ I କିନ୍ତୁ ପାବୁରିଆ ପରେ ତାଙ୍କ ଗାଡ଼ି ଚାଳନାରେ ହେଲପର କାଳିଆ ତ୍ରୁଟି ପରିଲକ୍ଷିତ କଲେ I ଏତିକି ମଧ୍ୟରେ ବସଟି ରାସ୍ତା କଡ଼ ନାଳକୁ ବାଡେଇ ହୋଇ ରହି ଯାଇଥିଲା I ଯାହା ଫଳରେ ବସଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି I ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି I ଘଟଣାସ୍ଥଳକୁ ୧୦୮ ଆମ୍ବୁଲାନ୍ସ ଆସି ଡ୍ରାଇଭରକୁ ମୃତ ଚିହ୍ନଟ କରି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡିଛି I ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି ଏବଂ ସାରଙ୍ଗଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି।

Comments are closed.