ଭୋଟର ସଚେତନତା ପାଇଁ ବ୍ରହ୍ମପୁର ଓ ଭଞ୍ଜନଗରରେ ଓ୍ବାକାଥନ୍ ଓ ପଥ ଉତ୍ସବ

ବ୍ରହ୍ମପୁର: ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ ୨୦୨୪ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବ୍ରହ୍ମପୁର ଓ ଭଞ୍ଜନଗର ସହରରେ ଶନିବାର ପଦଯାତ୍ରା (ଓ୍ବାକାଥନ୍) ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଯୁବ ଗୋଷ୍ଠୀ ତଥା କଲେଜ ଛାତ୍ରଛାତ୍ରୀ ଯେଉଁମାନେ ନୂତନ ଭୋଟର ଭାବେ ଆସନ୍ତା ସାଧାରଣ ନିର୍ବାଚନରେ ମତଦାନ କରିବାକୁ ଯାଉଛନ୍ତି ସେମାନଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏଥିରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଯୋଗଦେଇଥିଲେ। ଭୋଟ ଦେବା- ଗଣତନ୍ତ୍ରକୁ ସୁଦୃଢ କରିବା, ମତଦାତା ଭାବେ ଗର୍ବିତ- ଭୋଟଦାନ ପାଇଁ ପ୍ରସ୍ତୁତ, ମାଇ ଭୋଟର ମାଇ ଚଏସ୍, ଗଣତନ୍ତ୍ରର ଅଟେ ଏହି ଅବଦାନ- ମୋ ଭୋଟଟି ଅତି ମୂଲ୍ୟବାନ… ଆଦି ବିଭିନ୍ନ ସ୍ଲୋଗାନ ଦେଇ, ଏଭଳି ଲେଖା ସମ୍ବଳିତ ଟୋପି ପିନ୍ଧି ଓ ବ୍ୟାନର୍ ତଥା ପ୍ଲାକାର୍ଡ ଧରି ଯୁବକ ଯୁବତୀମାନେ ପଦଯାତ୍ରାରେ ସହର ପରିକ୍ରମା କରିଥିଲେ। ସ୍କେଟିଂ, ସାଂସ୍କୃତିକ ବେଶଭୂଷା ସମେତ ସ୍ଥାନୀୟ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ, ରଙ୍ଗୋଲି ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ କରାଯାଇଥିଲା।

ବ୍ରହ୍ମପୁରରେ ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ସପତ୍ନୀକ ନିଜ କାର୍ଯ୍ୟାଳୟରୁ ଏହି ପଦଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଭୋଟର ପଞ୍ଜୀକରଣ, ନିର୍ବାଚନରେ ଅଂଶଗ୍ରହଣ, ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଏହାର ଆୟୋଜନ କରାଯାଇଥିବା କହିଥିଲେ ସେ।

ସେହିପରି ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଆୟୋଜିତ ପଦଯାତ୍ରାକୁ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଶୁଭାରମ୍ଭ କରିଥିଲେ। ସହର ପରିକ୍ରମା ପରେ ଭଞ୍ଜନଗର ବସଷ୍ଟାଣ୍ଡ ଠାରେ ସଭାରେ ଉପଜିଲ୍ଲାପାଳ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ଓ ନିର୍ବାଚନରେ ମତଦାନ ଅଧିକାର ବିଷୟରେ ସଚେତନତା କରିବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବକ ଯୁବତୀମାନେ ଦେଶର ଜଣେ ଦାୟିତ୍ୱବାନ୍ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ।

ପ୍ରକାଶ ଥାଉକି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨୮ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ହେବ। ନଭେମ୍ବର ୫, ୧୧, ୧୯ ଓ ୨୫ ତାରିଖ ହେବ ସ୍ବତନ୍ତ୍ର ପ୍ରଚାର ଦିବସ। ଏହି ଦିନରେ ଭୋଟର ତାଲିକାରେ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର, ନିବେଦନ ପାଇଁ ନିକଟସ୍ଥ ବୁଥସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.