ନେଦରଲାଣ୍ଡ୍ସ ପୁଣି କଲା କମାଲ, ବାଂଲାଦେଶକୁ ୮୭ ରନରେ ହରାଇଲା

କୋଲକାତା: ନେଦରଲାଣ୍ଡ୍ସ ଚଳିତ ଦିନିକିଆ ବିଶ୍ୱକପରେ ପୁଣି ଏକ ଟେଷ୍ଟ ପ୍ଲେଇଂ ଦେଶକୁ ଧରାଶାୟୀ କରିଛି । ଇଡେନ୍ ଗାର୍ଡେନ୍ସରେ ଶନିବାର ଅନୁଷ୍ଠିତ ମ୍ୟାଚରେ ବାଂଲାଦେଶକୁ ୮୭ ରନରେ ହରାଇ ଦେଇଛି ନେଦରଲାଣ୍ଡ୍ସ । ପୂର୍ବରୁ ନେଦରଲ୍ୟାଣ୍ଡ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ଡଚ୍ ଟିମ୍ ପ୍ରଥମ ଥର ପାଇଁ ଏକ ବିଶ୍ବକପରେ ଦୁଇଟି ମ୍ୟାଚ୍‌ ଜିତିଛି । ନେଦରଲାଣ୍ଡ୍ସ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଅପେକ୍ଷା ଟୁର୍ଣ୍ଣାମେଣ୍ଟରେ ଅଧିକ ମ୍ୟାଚ୍ ଜିତିଛି | ଇଂଲଣ୍ଡ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି ଏବଂ ପଏଣ୍ଟ ଟେବୁଲରେ ୧୦ ନମ୍ବରରେ ରହିଛି।

ନେଦରଲାଣ୍ଡ୍ସ ୬ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ପଏଣ୍ଟ୍ ଟେବୁଲର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି ‌। ଅନ୍ୟପକ୍ଷରେ ବାଂଲାଦେଶର ଏହା ଲଗାତାର ପଞ୍ଚମ ପରାଜୟ । ଦଳ ୬ ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ନବମ ସ୍ଥାନକୁ ଖସିବା ସହ ସେମିଫାଇନାଲର ଦୌଡ଼ରୁ ବାଦ୍ ପଡ଼ିଛି ।

ଇଡେନ୍ ଗାର୍ଡେନ୍ସରେ ନେଦରଲାଣ୍ଡ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଠିକ୍ ୫୦ ଓଭରରେ ୨୨୯ ରନ୍ କରି ଆଉଟ୍ ହୋଇଥିଲା । ଏହାର ଜବାବରେ ବାଂଲାଦେଶ ୪୧.୨ ଓଭରରେ ମାତ୍ର ୧୪୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ବାଂଲାଦେଶ ତରଫରୁ ମେହେଦି ହସନ ମିରାଜ୍ ୩୫ ରନ୍ କରିଥିବା ବେଳେ ମହମ୍ମୁଦୁଲ୍ଲା ଓ ମୁସ୍ତାଫିଜୁର ରହମାନ ୨୦-୨୦ ରନ୍ କରିଥିଲେ । ନେଦରଲାଣ୍ଡ୍ସ ପକ୍ଷରୁ ପଲ୍ ୱାନ୍ ମିକେରେନ୍ ୪ଟି ୱିକେଟ୍ ନେଇଥିଲେ। ଏହି ପ୍ରଦର୍ଶନ ପାଇଁ ମିକେରେନ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ |

ନେଦରଲାଣ୍ଡ୍ସ ପକ୍ଷରୁ ଅଧିନାୟକ ସ୍କଟ୍ ଏଡୱାର୍ଡସ୍ ସର୍ବାଧିକ ୬୮ ରନ୍ କରିଥିବାବେଳେ ଭେଜଲି ବାରେସି ୪୧ ରନର ଇନିଂସ ଖେଳିଥିଲେ ଏବଂ ସାଇବ୍ରାଣ୍ଡ ଏଙ୍ଗେଲବ୍ରେଖ ୩୫ ରନ୍ କରିଥିଲେ।

ପୂର୍ବରୁ ନେଦରଲାଣ୍ଡ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଏକଦା ୧୦୭ ରନରେ ୫ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ କ୍ୟାପଟେନ୍ ଏଡଓ୍ବାର୍ଡ୍ସଙ୍କ ଲଢ଼ୁଆ ଅର୍ଦ୍ଧଶତକୀୟ ଇନିଂସ ସହ ଭେଜଲି ବାରେସି ଓ ସାଇବ୍ରାଣ୍ଡ ଏଙ୍ଗେଲବ୍ରେଖଙ୍କ ଉପଯୋଗୀ ଯୋଗଦାନ ସହାୟତାରେ ଦଳ ୨୦୦ ରନ୍ ଟପିଥିଲା । ବାଂଲାଦେଶ ପକ୍ଷରୁ ଶୋରିଫୁଲ ଇସଲାମ, ମୁସ୍ତାଫିଜୁର ରହମାନ, ତସ୍କିନ୍ ଅହମ୍ମଦ ଏବଂ ମେହେଦି ହସନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଶାକିବ ଅଲ ହାସନ ଗୋଟିଏ ୱିକେଟ୍ ପାଇଥିଲେ ।

Comments are closed.