ପୁରୀ ଗଲେ ୯୦ ହବିଷ୍ୟାଳୀ, ତୀର୍ଥଯାତ୍ରାରେ ଯିବେ ୫ ଜିଲ୍ଲାର ୯୭୦ ବୟୋଜ୍ୟେଷ୍ଠ

ବ୍ରହ୍ମପୁର: ପବିତ୍ର କାର୍ତ୍ତିକ ମାସ ରବିବାରରୁ ଆରମ୍ଭ ହୋଇଛି। ହିନ୍ଦୁ ଧର୍ମର ରୀତିନୀତି ମୁତାବକ ଏହି ମାସରେ ଯଥାସମ୍ଭବ ଅଧିକ ଧର୍ମ କର୍ମ କରିବା ଉଚିତ। ଓଡ଼ିଶା ସରକାର ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପଟେ ପୁରୀ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀମାନେ ଯେପରି ସୁରୁଖୁରୁରେ ବ୍ରତ କରିପାରିବେ ତାହାର ବ୍ୟବସ୍ଥା କରିଛନ୍ତି ତ ଆରପଟେ ବରିଷ୍ଠ ନାଗରିକଙ୍କ ସକାଶେ ଏହି ମାସରେ ତୀର୍ଥାଟନ ବ୍ୟବସ୍ଥା କରାଯାଇଛି।

୨୦୧୮ ମସିହାରୁ ରାଜ୍ୟ ସରକାର ପ୍ରତି ବର୍ଷ କାର୍ତ୍ତିକ ମାସରେ ହବିଷ୍ୟ କରୁଥିବା ମହିଳାମାନଙ୍କ ପାଇଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରବିବାର ସନ୍ଧ୍ୟାରେ ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ୯୦ ଜଣ ହବିଷ୍ୟାଳୀ ସରକାରଙ୍କ ଏହି ଯୋଜନାରୁ ଉପକୃତ ହେବା ପାଇଁ ପୁରୀ ଠାରେ ପହଞ୍ଚିଛନ୍ତି। ଗୁଣପୁର- ପୁରୀ ଟ୍ରେନ୍‌ରେ ସେମାନେ ପୁରୀ ଯାତ୍ରା କରିଥିଲେ। ପୁରୀ ବୃନ୍ଦାବତୀ ନିବାସର ନରେନ୍ଦ୍ର କୋଣରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲା ହବିଷ୍ୟାଳୀ ପରିଚୟପତ୍ର ମଧ୍ୟ ଗ୍ରହଣ କରିଛନ୍ତି। ପହଞ୍ଚିବା ମାତ୍ରେ ସମସ୍ତଙ୍କୁ ଅଭଡ଼ା ମଧ୍ୟ ପ୍ରଦାନ କରାଯାଇଛି। ସେଠାରେ ରହଣି ସମୟରେ ପ୍ରତ୍ୟହ ଚା’ ଜଳଖିଆ, ଅଭଡ଼ା ପ୍ରଦାନ ସହ ସ୍ବାସ୍ଥ୍ୟସେବା ଏବଂ ଶ୍ରୀମନ୍ଦିର ଯିବା ଆସିବା ସକାଶେ ରାଜ୍ୟ ସରକାରଙ୍କ ତରଫରୁ ଗାଡ଼ି ବ୍ୟବସ୍ଥା ମଧ୍ଯ ହୋଇଛି। ଏଥିପାଇଁ ଅକ୍ଟୋବର ୩ରୁ ଅନଲାଇନ୍‌ରେ ଆବେଦନ ଆରମ୍ଭ ହୋଇଥିଲା। ସେଥିରେ ବ୍ରହ୍ମପୁରର ୫୦ ଜଣଙ୍କ ସମେତ ଗଞ୍ଜାମ ଜିଲ୍ଲାର ମୋଟ ୯୦ ଜଣ ଆବେଦନ କରି ପୁରୀ ଯାତ୍ରାର ସୁଯୋଗ ପାଇଛନ୍ତି।

ଅପରପକ୍ଷରେ ମଙ୍ଗଳବାରରୁ ଚଳିତ ବର୍ଷର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଆରମ୍ଭ ହେବ। ବ୍ରହ୍ମପୁର ଷ୍ଟେସନରୁ ରେଳ ଯୋଗେ ୫ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ବାରଣାସୀ- ପ୍ରୟାଗରାଜ ଯାତ୍ରା କରିବେ। ଗଞ୍ଜାମ ଜିଲ୍ଲାରୁ ୫୪୮, ନୟାଗଡ଼ରୁ ୧୫୦, କନ୍ଧମାଳରୁ ୧୧୪, ଗଜପତିରୁ ୯୦ ଓ ବୌଦ୍ଧ ଜିଲ୍ଲାରୁ ୬୮ ଜଣ ଏହି ତୀର୍ଥାଟନରେ ସାମିଲ ହେବେ। ସେମାନେ ୩୦ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁରରେ ପହଞ୍ଚିବେ। ତିନିଟି ସ୍ଥାନରେ ଏମାନେ ଗୋଟିଏ ରାତିର ରହଣୀ ପରେ ୩୧ ଅକ୍ଟୋବର ସକାଳେ ଯାତ୍ରାରମ୍ଭ କରିବେ। ଏଥିସମ୍ବନ୍ଧୀୟ ସୁବିଧା ଯଥା ରହଣୀ, ଖାଦ୍ୟ, ସ୍ଵାସ୍ଥ୍ୟ ପରୀକ୍ଷା, ମନୋରଞ୍ଜନ ବା ଭଜନ ସନ୍ଧ୍ୟା ଆୟୋଜନ ସମ୍ପର୍କରେ ଆଗୁଆ ଅନୁଧ୍ଯାନ କରିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଏମ୍‌ସି କମିଶନର ଜେ.ସୋନାଲ, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରମୁଖ।

Comments are closed.