ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା : ଆଜି ବ୍ର‌ହ୍ମପୁରରୁ ଦକ୍ଷିଣ ଭାରତ ଯାତ୍ରା କରିବେ ୯୭୦ ତୀର୍ଥଯାତ୍ରୀ, ମୁଖ୍ୟମନ୍ତ୍ରୀ ଜଣାଇବେ ଶୁଭେଚ୍ଛା

ବ୍ରହ୍ମପୁର – ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନାରେ ଆଜି ବିଭିନ୍ନ ଜିଲ୍ଲାର ୯୭୦ ତୀର୍ଥଯାତ୍ରୀ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରାରମ୍ଭ କରିବେ । ବ୍ରହ୍ମପୁର ରେଳଷ୍ଟେସନଠାରୁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ ତୀର୍ଥଯାତ୍ରୀଙ୍କୁ ନେଇ ଦିନ ସାଢେ ୧୧ଟାରେ ଯାତ୍ରାରମ୍ଭ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ ତୀର୍ଥଯାତ୍ରାର ଶୁଭାରମ୍ଭ କରିବା ସହ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବେ । ବ୍ରହ୍ମପୁର ରେଳଷ୍ଟେସନଠାରୁ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ ଜିଲ୍ଲାର ମୋଟ ୯୭୦ ତୀର୍ଥଯାତ୍ରୀଙ୍କ ଦଳ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବେ । ଦଳରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୪୮ ତୀର୍ଥଯାତ୍ରୀ ଅଛନ୍ତି। ତୀର୍ଥଯାତ୍ରୀଙ୍କ ସ‌ହ ୩୦ ଜଣ ଗାଇଡ ସେମାନଙ୍କ ସହାୟତା ପାଇଁ ଯିବେ । ତୀର୍ଥଯାତ୍ରୀମାନେ ତ୍ରିଭେନ୍ଦ୍ରମ ଓ କନ୍ୟାକୁମାରୀ ଭଳି ସ୍ଥାନ ଭ୍ରମଣ କରିବେ । ତୀର୍ଥଯାତ୍ରୀମାନଙ୍କ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Comments are closed.