ଏଟିଏମ୍ ଡିପୋଜିଟ୍ ବେଳେ ୪୫ ଲକ୍ଷ ହେରଫେର, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଏଟିଏମ୍ କାଉଣ୍ଟର୍ ତଥା ମେସିନରେ ଡିପୋଜିଟ୍ ବେଳେ ଅଳ୍ପ ଅଳ୍ପ କରି ଟଙ୍କା ହଡପ କରି ଚାଲିଥିଲେ। ବର୍ଷକ ମଧ୍ୟରେ ପ୍ରାୟ ୪୫ ଲକ୍ଷ ଟଙ୍କା ହେରଫେର କରି ପକାଇଥିଲେ। ଯେତେବେଳେ ଏ ବାବଦରେ ଏଟିଏମ୍ ମେସିନରେ ଉପଭୋକ୍ତାଙ୍କ ବ୍ୟବହାର ସକାଶେ ଟଙ୍କା ଗଚ୍ଛିତ କରି ରଖୁଥିବା ସଂସ୍ଥା ସିଏମଏସ୍ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ସେମାନେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତ ତଥା ସେହି ସଂସ୍ଥାରେ କ୍ୟାସ୍ ଡିପୋଜିଟର୍ ଭାବେ କାର୍ଯ୍ୟ କରୁଥିବା ଦୀପକ କୁମାର ପାଢ଼ୀ (ଟୁଲୁ, ୪୨)କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ସିଏମଏସ୍ ଇନଫୋସିଷ୍ଟମ୍ ଲିମିଟେଡ୍ ବ୍ରହ୍ମପୁର ଶାଖା ପରିଚାଳକ ଭବାନୀ ପ୍ରସାଦ ସାମନ୍ତଙ୍କ ଏତଲା କ୍ରମେ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୫୫୮/୨୩ ରୁଜୁ ହୋଇଛି। ତାହାର ତଦନ୍ତ କରି ଗୋପାଳପୁର ଥାନା ଅର୍ନ୍ତଗତ ମାଣ୍ଡିଆପଲ୍ଲୀର ଦୀପକକୁ କାବୁ କରିଥିଲା। ଉକ୍ତ ସଂସ୍ଥା ଜରିଆରେ ବିଭିନ୍ନ ବ୍ୟାଙ୍କର ଟଙ୍କା ସମ୍ପୃକ୍ତ ଏଟିଏମରେ ଡିପୋଜିଟ୍ କରିବା ବେଳକୁ ଦୀପକ କିଛି କିଛି କରି ଟଙ୍କା କୌଶଳକ୍ରମେ ହେରଫେର କରି ନେଉଥିଲା ବୋଲି ପୋଲିସ ଜେରା ବେଳେ ସ୍ବୀକାର କରଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

Comments are closed.