ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭୁବନେଶ୍ୱର – ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ୭ମ ଓଏସଏପି ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ହୋଇଛି । ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଓଏସଏପି ପଡିଆରେ ପ୍ୟାରେଡ ଆୟୋଜିତ ହେବା ସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ପୋଲିସ ଡିଜି ବଂସଲ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ତାଙ୍କ କାର୍ଯ୍ୟାବଳୀ , କାର୍ଯ୍ୟଦକ୍ଷତା , ଦେଶପ୍ରେମ ଓ ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ବାଧୀନତା ପରେ ୫୫୦ ରୁ ଅଧିକ ଛୋଟ ଛୋଟ ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ , ତାହା ଅତୁଳନୀୟ ଥିଲା । ଯାହା ଫଳରେ ବିଶ୍ବ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି । ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା , ବନ୍ଧୁତା ଏବଂ ଏକତା ହୋଇ ଚାଲିବା ସହ ସମସ୍ତଙ୍କ ମନରେ ଦେଶପ୍ରେମ ରହିବା ଉଚିତ ବୋଲି ପୋଲିସ ଡିଜି ବଂସଲ କହିଥିଲେ । ଏହା ସହ ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଅପରାଧ ଦମନ କରିବାକୁ ସେ ଆହ୍ବାନ ଦେଇଥିଲେ ।

ଆୟୋଜିତ ପ୍ୟାରେଡରେ ଏନଡିଆରଏଫ ( ମୁଣ୍ଡଳୀ ) , ୭ମ ଓଏସଏପି ବାଟାଲିୟନ ( ଭୁବନେଶ୍ବର ) , ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ ( କଟକ ) , ଷଷ୍ଠ ଆଇ.ଆର ବାଟାଲିୟନ ( ଖୋର୍ଦ୍ଧା ) , ଓଡ୍ରାଫ , ଫାୟାର ସର୍ଭିସ ( କଟକ ) , ପୋଲିସ କଲର ପାର୍ଟି ( କଟକ ) , ବ୍ୟାଣ୍ଡ ପାର୍ଟି ( କଟକ ) ଅଂଶଗ୍ରହଣ କରିଥିଲେ । କମାଣ୍ଡାଣ୍ଟ ତାପସ ରଞ୍ଜନ ଦାସ ପ୍ୟାରେଡର ନେତୃତ୍ବ ନେଇଥୁଲେ । ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ( ଏଚଆରପିସି ) ଏ . ଏମ . ପ୍ରସାଦ , ନିର୍ଦ୍ଦେଶକ ( ଏସସିଆରବି ) ବିନୟତୋଷ ମିଶ୍ର , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଏସ.ଏ.ପି ) ଆର.ପି. କୋଚେ , ନିର୍ଦ୍ଦେଶକ ( ଭିଜିଲାନ୍ସ ) ୟଶୱନ୍ତ ଜେଠୱା , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ ) ଆର . କେ . ଶର୍ମା , ପୋଲିସ କମିଶନର ( ଭୁବନେଶ୍ବର – କଟକ ) ସୌମେନ୍ଦ୍ର ପ୍ରିୟଦର୍ଶୀ , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( କ୍ରାଇମବ୍ରାଞ୍ଚ ) ଅରୁଣ ବୋଥା , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା ) ସଞ୍ଜୟ କୁମାର , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଅପରେସନ ) ଏସ . ଦେବଦତ୍ତ ସିଂ , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଧୁନୀକିକରଣ ) ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧୂକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ କଟକଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାରାଯାଇଥିଲା । ଆଇ.ଜି. ( କାର୍ମିକ ) ପ୍ରବୀଣ କୁମାର ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରର ଏକତା , ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖୁବା ପାଇଁ ନିଜକୁ ସମର୍ପିତ କରିବାକୁ ଏବଂ ଏହି ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ପ୍ରୟାସ କରିବାକୁ ଶପଥ ପାଠ କରାଇଥିଲେ ।

Comments are closed.