ଜାଗା ମିଶନ : ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ୫୪୨ ପରିବାରକୁ ବିଏମସି ବଣ୍ଟନ କଲା ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ ( ବିଏମ୍‌ସି ) ପକ୍ଷରୁ ଆଜି ଯୋଗ୍ୟ ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ( ଏଲ୍‌ଆର୍‌ସି ) ବଣ୍ଟନ କରାଯାଇଛି । ଓଡିଶା ସରକାରଙ୍କର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଜାଗା ମିଶନ’ ଅଧିନରେ ସମସ୍ତ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗାଇ ଦିଆଯାଉଅଛି । ପର୍ଯ୍ୟାୟକ୍ରମେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ବିଏମସିର ତିନିଟିଯାକ ଜୋନ୍‌ରେ ୫ ହଜାର ୫୪୨ ପରିବାରଙ୍କୁ ଏଲଆର୍‌ସି ବଣ୍ଟନ କରାଯାଇଛି । ଦକ୍ଷିଣ ପଶ୍ଚିମ ଜୋନ୍ ପାଇଁ ୱାର୍ଡ ନମ୍ବର ୫୭ ସ୍ଥିତ ବଡଗଡ ବ୍ରିଟ୍ କଲୋନୀର ନେତାଜୀ ପଡିଆ , ଦକ୍ଷିଣ – ପୂର୍ବ ଜୋନ୍ ପାଇଁ ୱାର୍ଡ ନମ୍ବର ୪୭ର ୟୁନିଟ୍ ୮ ସ୍ଥିତ କମ୍ୟୁନିଟି ସେଣ୍ଟର ଏବଂ ଉତ୍ତର ଜୋନ୍ ପାଇଁ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ସକାଳ ୯ଟାରୁ ଏଲ୍‌ଆର୍‌ସି ବଣ୍ଟନ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉପସ୍ଥିତ ରହି ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଥିଲେ । ସହରାଞ୍ଚଳରେ ଗଢି ଉଠୁଥିବା ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣାକୁ ବାସ୍ତବରେ କାର୍ଯ୍ୟକାରୀ କରିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ। ସେ ଆହୁରି କହିଛନ୍ତି ଯେ କେବଳ ଜମି ଅଧିକାର ନୁହେଁ , ସହରାଞ୍ଚଳ ଗରିବ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସହର ବିକାଶରେ ବସ୍ତିବାସିନ୍ଦାମାନଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ସେହିମାନଙ୍କ ଶ୍ରମଦାନରେ ସହରୀକରଣର ରୂପରେଖ ବଦଳିଥାଏ । ହେଲେ , ସେମାନଙ୍କୁ ସହରରେ ଏକ ସ୍ଵତନ୍ତ୍ର ଶ୍ରେଣୀ ଭାବେ ବିବେଚନା କରାଯାଉଥିଲା । ମାତ୍ର ଏହି ଭୂମି ପ୍ରମାଣ ପତ୍ର ସେମାନଙ୍କୁ ବସ୍ତି ବାସିନ୍ଦାରୁ ବିଜୁ ଆଦର୍ଶ କଲୋନୀ ବାସିନ୍ଦାରେ ପରିଣତ କରିପାରିଛି ବୋଲି କହିଛନ୍ତି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ । ସେ ଆହୁରି କହିଛନ୍ତି ଯେ ସମ୍ମାନର ସହ ସହରୀ ବାତାବରଣ ମଧ୍ୟରେ ଯେପରି ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନିରାପଦ ଜୀବନ ଯାପନ କରିପାରିବେ , ସେଥିପାଇଁ ଦୂରଦୃଷ୍ଟି ସଂପନ୍ନ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭୂମି ଅଧିକାର ଦେଇଛନ୍ତି । ଭୁବନେଶ୍ୱରକୁ ସ୍ବଚ୍ଛ , ସବୁଜ ଓ ସୁନ୍ଦର କରି ଗଢିତୋଳିବା ପାଇଁ ବିଏମ୍‌ସି ସମର୍ପିତ ଭାବେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ତିନିଟି ଜୋନ୍‌ରେ ଯେପରି ସୂଚାରୁ ରୂପେ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇ ପାରିବ , ସେଥିପାଇଁ ବିଏମ୍‌ସି ପକ୍ଷରୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିଲା । ଅତିରିକ୍ତ କମିଶନର – ୧ ଲକ୍ଷ୍ମୀକାନ୍ତ ସେଠୀ ଉତ୍ତର ଜୋନ୍ ଦାୟିତ୍ଵରେ ରହିଥିବା ବେଳେ ଅତିରିକ୍ତ କମିଶନର – ୨ ଶୁଭେନ୍ଦୁ କୁମାର ସାହୁ ଦକ୍ଷିଣ – ପଶ୍ଚିମ ଜୋନ୍ ଦାୟିତ୍ବରେ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ । ସେହିପରି ଅତିରିକ୍ତ କମିଶନର – ୩ ସୂର୍ଯ୍ୟବଂଶୀ ମୟୂର ବିକାଶ ଦକ୍ଷିଣ – ପୂର୍ବ ଜୋନ୍ ଦାୟିତ୍ବରେ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭୂମି ଅଧିକାର ପ୍ରମାଣ ପତ୍ର ପାଇବା ପରେ ହିତାଧିକାରୀଙ୍କ ମୁହଁରେ ଫୁଟି ଉଠିଥିଲା ହସ । ରାଜଧାନୀରେ ଘର କରିବା ପାଇଁ ନିଜସ୍ଵ ଭୂମି ମିଳିଥିବାରୁ ସେମାନେ ବିଏମ୍‌ସି ସହ କର୍ପୋରେଟର , କମିଶନର , ମେୟର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.