ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲରେ ଦାରିଙ୍ଗବାଡି ଇକୋ ରିଟ୍ରିଟ୍ ଆରମ୍ଭ

ଫୁଲବାଣୀ: ଏବେ ଶୀତ ଋତୁ ଚାଲିଛି। ଆଗକୁ ବର୍ଷର ଶେଷ ଓ ନୂତନ ବର୍ଷର ଆଗମନ ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବ। ଲୋକେ ଛୁଟି ନେଇ ମଉଜ ମସ୍ତି ପାଇଁ ବିଭିନ୍ନ ସ୍ଥାନ ବୁଲିଯିବେ। ପ୍ରକୃତି ଓ ପର୍ଯ୍ୟଟନର ସମ୍ଭାର ଜମିବ। ଏଭଳି ସ୍ଥିତିରେ ଓଡ଼ିଶା ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ପରିଭ୍ରମଣକାରୀଙ୍କୁ ପ୍ରକୃତିର ସୌନ୍ଦର୍ଯ୍ୟର ମଜା ଉଠାଇବାର ସୁଯୋଗ ଆଣି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ନଭେମ୍ବର ପହିଲାରୁ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍। ପ୍ରକୃତିର କୋଳରେ ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ଏକ ବଢିଆ ଅବସର ଏବେ ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଉପଲବ୍ଧ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି।

ନଇ, ଝରଣା, ଜଳପ୍ରପାତ, ପାହାଡ଼ ଓ ଜଙ୍ଗଲର ଶୋଭା ସାଙ୍ଗରେ ଶୀତଳ ପବନର ସ୍ପର୍ଶ ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଟାଣି ଆଣିଥାଏ। ସେଥିପାଇଁ ତ ପ୍ରତି ବର୍ଷ ପର୍ଯ୍ୟଟନ ଋତୁ ଆସିଲେ ଦାରିଙ୍ଗବାଡିରେ ଦେଶବିଦେଶର ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳେ। ଏଣୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଦାରିଙ୍ଗବାଡି ଠାରେ ୨୦୨୦ ମସିହା ଠାରୁ ଇକୋ ରିଟ୍ରିଟ୍ ପ୍ରକଳ୍ପ ଆରମ୍ଭ କରିଛି।

ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ ଦାରିଙ୍ଗବାଡିରେ ଇକୋ ରିଟ୍ରିଟ୍ ଆରମ୍ଭ କରିଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଥିଲେ। ଏହି ସମୟରେ ଦାରିଙ୍ଗବାଡି ଠାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ୍ ମହାନ୍ତି, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଶୁଭେନ୍ଦୁ ପାତ୍ର ଉପସ୍ଥିତ ଥିଲେ। ଏଥର ଇକୋ ରିଟ୍ରିଟରେ ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ପାହାଡ଼ ଉପରେ ହୋଇଥିବା ବେଳେ ଚତୁଃପାର୍ଶ୍ଵରେ ଜଙ୍ଗଲ ରହିଛି। ପାଖରେ ରହିଛି ହିଲ୍ ଭିୟୁ ପାର୍କ ଓ ନେଚର୍ ପାର୍କ। ତମ୍ବୁ ଭଡ଼ା ୮୫୦୦ ଟଙ୍କା ରହିଛି। ଏହା ତିନି ମାସ ଧରି ଚାଲିବ। ପର୍ଯ୍ୟଟକମାନେ ଇକୋ ରିଟ୍ରିଟରେ ରାତ୍ର ରହଣି କରି ଦାରିଙ୍ଗବାଡି ଓ ଆଖପାଖରେ ଥିବା ଦର୍ଶନୀୟ ସ୍ଥାନ ବୁଲିପାରିବେ। ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର କଳା ଓ ସଂସ୍କୃତିର ମଜା ନେବେ। ଇକୋ ରିଟ୍ରିଟ ମଧ୍ୟରେ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଅଗ୍ନିଶମ, ଡାକ୍ତରୀ ଓ ପୋଲିସ ସୁବିଧା ଉପଲବ୍ଧ ରହିଛି।

Comments are closed.