ଆଜି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ହେବ ଶୁଭାରମ୍ଭ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶାରେ ଆଜି ଆଉ ଦୁଇଟି ଜିଲ୍ଲା ସାମିଲ ହେବ । ଏହି ଯୋଜନାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ଦୁଇ ଜିଲ୍ଲାରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।

କଳାହାଣ୍ଡି ଜିଲ୍ଲାରେ ୧୫୫ କୋଟି ଟଙ୍କା ବ୍ୟୟରେ ୪ ହଜାର ୬୭୮ଟି ଉନ୍ନୟନ ପ୍ରକଳ୍ପ ଆରମ୍ଭ କରାଯିବ। ନବରଙ୍ଗପୁର ଜିଲ୍ଲାରେ ୯୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ ହଜାର ୯୪୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଅକ୍ଟୋବର ୧୦ ତାରିଖରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସରେ ରହିଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ। ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ସାମିଲ ହେବେ । ମୋଟ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ।

Comments are closed.