ଖରିଫ ଧାନ ସଂଗ୍ରହ ଓ କ୍ରୟ ପାଇଁ ସଚିବସ୍ତରୀୟ ବୈଠକ : ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କୁ ମିଳିବ ଏମଏସପି

ଧାନ ମଣ୍ଡିରେ ତଦାରଖ ନିମନ୍ତେ ଏନଫୋର୍ସମେଣ୍ଟ ସ୍କୁଆର୍ଡ ର ବ୍ୟବସ୍ଥା 

ଭୁବନେଶ୍ୱର – ୨୦୨୩ – ୨୪ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଓ କ୍ରୟ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନିତ୍ଵ କରାଯିବ ଏବଂ ସଂଗ୍ରହ କରାଯାଇଥିବା ଧାନକୁ ସଂଗ୍ରହ କରାଯିବ ଦିନ ହିଁ ମଣ୍ଡିରୁ ସ୍ଥାନାନ୍ତର କରାଯିବ । ଯାହାଦ୍ବାରା ଧାନ ନଷ୍ଟ ହେବନାହିଁ । ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନେ ଧାନର ସହାୟକ ମୂଲ୍ୟ ପାଇଯିବେ । ଧାନ ସଂଗ୍ରହରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ସଂଖ୍ୟା ବଢାଯିବା ସହ ସାଟେଲାଇଟ ଦ୍ବାରା ଯଥା ସମୟରେ ଧାନ ସଂଗ୍ରହ ହେଉଛି କି ନାହିଁ ତାହାର ଯାଞ୍ଚ କରାଯିବ । ଧାନ ସଂଗ୍ରହରେ ଏସଏଲଓପିସି ମାନେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୈଠକରେ ସୂଚନା ଦେଇଥିଲେ । ଏ ବର୍ଷ ଖରିଫ ଫସଲ ପ୍ରଚୁର ମାତ୍ରାରେ ହୋଇଥିବା ନେଇ କୃଷି ସଚିବ ଅରବିନ୍ଦ ପାଢୀ ବୈଠକରେ ମୂଲ୍ୟାଙ୍କନ କରିଥିଲେ । ଖରିଫ ଧାନର ସଂଗ୍ରହ ସୁଗମ ତଥା ସୂଚାରୁ ରୂପେ ହେବା ନିମନ୍ତେ ଆବଶ୍ୟକ ଉପକରଣ ଯଥା ପଲିଥିନ , ତାର୍ପୋଲିନ ପ୍ରମୁଖ ମଣ୍ଡିକୁ ତୁରନ୍ତ ଯୋଗାଇ ଦିଆଯିବ । ଏକ୍ସ ମଣ୍ଡିଗୁଡିକରେ ଧାନ ସଂଗ୍ରହ ବ୍ୟବସ୍ଥା ପରଖିବା ନିମନ୍ତେ ସିସିଟିଭି କ୍ୟାମେରା ଯୋଗାଇ ଦିଆଯିବ ବୋଲି ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ବୈଠକରେ କହିଥିଲେ । ଏ ବର୍ଷ ଖରିଫ ଫସଲର ସାଧାରଣ ବର୍ଗର ଧାନ ଚାଷୀଙ୍କ ଠାରୁ କ୍ରୟ କରାଯିବ ଯାହାର ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ରହିଛି । ସଂଗୃହିତ ଧାନର ରକ୍ଷଣାବେକ୍ଷଣ ପାଇଁ ଭଣ୍ଡାର ଓ ବଜାର ପ୍ରସ୍ତୁତ କରାଯାଇଛି । ଏକ୍ସ ତଦାରଖ ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଟୋଲ ଫ୍ରି ନମ୍ବର ଆଇଭିଆରଏସ ଓ ୧୯୬୭ ଡାଏଲ କରି ଚାଷୀମାନେ ଧାନ ବିକ୍ରୟ ଓ ସହାୟକ ମୂଲ୍ୟ ( ଏମ୍ଏସପି) ବିଷୟରେ ମଧ୍ୟ ଜାଣି ପାରିବେ ବୋଲି ଖାଦ୍ୟ ଯୋଗାଣ ସଚିବ ଶ୍ରୀ ଭି. ଭି ଯାଦବ ବୈଠକରେ ସୂଚନା ଦେଇଥିଲେ । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହ କୃଷି ସଚିବ ଅରବିନ୍ଦ ପାଢୀ , ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି ଭି ଯାଦବ ସମେତ ବହୁ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Comments are closed.