ବିଏମ୍‌ସିର ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଭୁବନେଶ୍ବର – ଭୁବନେଶ୍ବର ମହାନଗର ନିଗମ ( ବିଏମ୍‌ସି ) ପକ୍ଷରୁ ଭିଜିଲାନ୍ସ ସପ୍ତାହ ପାଳନ ଅବସରେ ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବିଏମ୍‌ସି ମୁଖ୍ୟାଳୟ ସ୍ଥିତ ଏକାମ୍ର ହଲ୍‌ରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ , ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ସିଏଫଓ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସମସ୍ତ ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଭିଜିଲାନ୍ସ ସପ୍ତାହ ପାଳନ କରାଯାଉଛି । ଚଳିତ ବର୍ଷ ଏହି ସପ୍ତାହର ଥିମ୍ ରହିଛି – ‘ ଭ୍ରଷ୍ଟାଚାରର ବିରୋଧ କରନ୍ତୁ ; ରାଷ୍ଟ୍ର ପ୍ରତି ସମର୍ପିତ ରୁହନ୍ତୁ’ । ଯିଏ ଯେଉଁ ସ୍ତରରେ ବା କ୍ଷେତ୍ରରେ ଥାଉନା କାହିଁକି , କେହି ବି ଦୁର୍ନୀତି କରନ୍ତୁ ନାହିଁ କିମ୍ବା ଦୁର୍ନୀତି କରିବାକୁ କାହାରିକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଯେ କୌଣସି ସଂସ୍ଥାର ଜଣେ ଲୋକ ଦୁର୍ନୀତି କଲେ , ତାହା ସମଗ୍ର ସଂସ୍ଥାକୁ କୀଟ ପରି ଦଂଶନ କରିଥାଏ । ଏ ବାବଦରେ ଚାଣକ୍ୟ ନୀତିଶାସ୍ତ୍ର ମଧ୍ୟ ଅନେକ ଉପାଦେୟ କଥା କହିଛି । ଏଣୁ ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତିଠାରୁ ଦୂରେଇ ରହିବାକୁ ସମସ୍ତ ବିଏମ୍‌ସିର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ । ବିଏମ୍‌ସି ରାଜ୍ୟର ଏକ ସର୍ବବୃହତ ମହାନଗର ନିଗମ ଏବଂ ରାଜ୍ୟ ରାଜଧାନୀରେ ରହିଥିବାରୁ ଏହାର ସ୍ୱଚ୍ଛତା ରକ୍ଷା କରିବା ସମସ୍ତ କର୍ମଚାରୀଙ୍କର ପ୍ରମୁଖ କର୍ତ୍ତବ୍ୟ ହେବା ଦରକାର । ସମସ୍ତେ ଦୁର୍ନୀତିଠାରୁ ଦୂରରେ ରହି , ଜନସାଧାରଣଙ୍କୁ ସଠିକ୍ ସମୟରେ ସେବା ଯୋଗାଇ ଦେବା ଦରକାର । କେବଳ ପାଂଚ ଦେବା କିମ୍ବା ନେବା ନୁହେଁ , ସଠିକ ସମୟରେ ସଠିକ କାମ ନ କରିବା ମଧ୍ୟ ଦୁର୍ନୀତି ବୋଲି ଅବିହିତ କରିବା ସହ ସମସ୍ତ କର୍ମଚାରୀଙ୍କୁ ଶପଥପାଠ କରାଇବା ଅବସରରେ କହିଥିଲେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ।

Comments are closed.