ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ବିଦା, ଅଷ୍ଟ୍ରେଲିଆର ପଞ୍ଚମ ବିଜୟ

ଅହମ୍ମଦାବାଦ: ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ଚଳିତ ଦିନିକିଆ ବିଶ୍ୱକପରୁ ବିଦା‌ ହୋଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଇଂଲଣ୍ଡକୁ ୩୩ ରନରେ ହରାଇଛି ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ। ଇଂଲଣ୍ଡର ଏହା କ୍ରମାଗତ ପଞ୍ଚମ ଓ ମୋଟ ଷଷ୍ଠ ପରାଜୟ । ବାଂଲାଦେଶ ପରେ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି।

ଟସ୍ ହାରି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନ୍ କରିଥିଲା । ଦଳ ପକ୍ଷରୁ ମାର୍ନସ୍ ଲାବୁସେନ୍ ସର୍ବାଧିକ ୭୧ ରନ୍ କରିଥିବା ବେଳେ କାମେରନ ଗ୍ରୀନ୍ ୪୭, ଷ୍ଟିଭ୍ ସ୍ମିଥ୍ ୪୪, ମାର୍କସ ଷ୍ଟୋଇନିସ୍ ୩୫ ଓ ଆଡାମ୍ ଜାମ୍ପା ୨୯ ରନ୍ କରିଥିଲେ । ଇଂଲଣ୍ଡ ତରଫରୁ କ୍ରିସ୍ ଓ୍ବକ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ ।

୨୮୭ ରନର ବିଜୟଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୮.୧ ଓଭରରେ ୨୫୩ ରନ୍ କରି ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ବେନ ଷ୍ଟୋକ୍ସ (୬୪) ଏବଂ ଡେଭିଡ ମାଲାନ୍(୫୦) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମୋଇନ୍ ଅଲ୍ଲୀ ୪୨ ରନ୍ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ସ୍ପିନର ଆଡାମ ଜାମ୍ପା ପୁଣି ସଫଳ ବୋଲର ଭାବେ ୩ଟି ୱିକେଟ୍ ନେଇଥିଲେ ।

ଇଂଲଣ୍ଡ ୭ଟି ମ୍ୟାଚରୁ ଷଷ୍ଠ ପରାଜୟ ସହ ସବା ଶେଷରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ୭ଟି ମ୍ୟାଚରେ ୫ଟି ବିଜୟରୁ ୧୦ ପଏଣ୍ଟ ପାଇ ଟେବୁଲରେ ତୃତୀୟ ସ୍ଥାନକୁ ଉଠିଛି । ଆଫଗାନିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ଦଳ‌ ଆଉ ଦୁଇଟି ମ୍ୟାଚ୍ ଖେଳିବ । ଏଥିମଧ୍ୟରୁ ଗୋଟିଏ ଜିତିଲେ ଦଳ ସେମିଫାଇନାଲରେ ପ୍ରବେଶ କରିବ |

Comments are closed.