ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି : ଆଜି ଭାରତ -ଜାପାନ ଟାଇଟଲ ଲଢେଇ 

ରାଞ୍ଚି – ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକିର ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଭାରତ ଓ ଜାପାନ ମଧ୍ୟରେ ହେବ ଟାଇଟଲ ଲଢେଇ । ସେମିଫାଇନାଲରେ ଏସିଆନ ଗେମ୍ସ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳ, ଦକ୍ଷିଣ କୋରିଆକୁ ୨-୦ ଗୋଲରେ ହରାଇଥିଲା । ଅନ୍ୟ ଏକ ସେମିଫାଇନାଲରେ ଜାପାନ, ଚୀନକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଲିଗ୍ ପର୍ଯ୍ୟାୟରେ ଜାପାନକୁ ପରାସ୍ତ କରିଥିଲା । ଏହାଛଡା ଭାରତ ହାଙ୍ଗଝୁ ଏସୀୟ କ୍ରୀଡା ହକିରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ।
    ଲିଗ୍ ପର୍ଯ୍ୟାୟରେ ଭାରତୀୟ ଦଳ ସମସ୍ତ ମ୍ୟାଚ ଜିତି ଅପରାଜେୟ ରହିଥିଲା । ଭାରତ ଓ ଜାପାନ ମଧ୍ୟରେ ଫାଇନାଲ ମ୍ୟାଚ ପୂର୍ବରୁ ତୃତୀୟ ସ୍ଥାନ ପାଇଁ ଏସିଆନ ଗେମ୍ସ ଚାମ୍ପିୟନ ଚୀନ୍ ଓ ରନର୍ସ ଅପ୍ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା ହେବ ।
   ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ରେ ଭାରତ ଆଗରୁ ତିନିଥର ଫାଇନାଲ ଖେଳିସାରିଛି । ୨୦୧୬ରେ ସିଙ୍ଗାପୁରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାରତ ଚୀନକୁ ହରାଇ ଚାମ୍ପିୟନ ହୋଇଥିଲା । ୨୦୧୩ ଓ ୨୦୧୮ ସଂସ୍କରଣରେ ଭାରତ ଯଥାକ୍ରମେ ଜାପାନ ଓ ଦକ୍ଷିଣ କୋରିଆ ଠାରୁ ଫାଇନାଲରେ ହାରି ରନର୍ସଅପ ହୋଇଥିଲା ।

Comments are closed.