ସବୁଜ ଦୀପାବଳି ପାଳନ ନିଶ୍ଚିତ କରିବାକୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ରାଜ୍ୟ ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ

ଭୁବନେଶ୍ୱର – ଦୀପାବଳୀ ଆସୁଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରଦୂଷଣ ଉପରେ କଡ଼ା ନଜର ରଖିବ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।  ସବୁଜ ଦୀପାବଳି ସହ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଦୀପାବଳି ପାଳନ ନିଶ୍ଚିତ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛି । ସବୁ ସହରରେ ଦୀପାବଳି ପୂର୍ବ ଓ ପରବର୍ତ୍ତୀ ପ୍ରଦୂଷଣ ମାତ୍ରା ଯାଞ୍ଚ ହେବ । ସବୁଜ ବାଣ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ପ୍ରଦୂଷଣ ଜନିତ ରୋଗର ପରୀକ୍ଷା ପାଇଁ  ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟକ୍ସିକୋଲଜି ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଇଛି ।

ରାଜଧାନୀ ଦିଲ୍ଲୀ ଭଳି ଓଡ଼ିଶାରେ ପ୍ରଦୂଷଣ ସ୍ଥିତି ନାହିଁ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ସୂଚନା ଦେଇଛନ୍ତି।

ଗତ ୪-୫ ବର୍ଷ ହେଲା ରାଜ୍ୟରେ ପ୍ରଦୂଷଣ ସ୍ଥିତି ଭଲ ଅଛି । ଏପରିକି ତାଳଚେର ଭଳି ପ୍ରଦୂଷଣ ପ୍ରବଣ ସହରର ସ୍ଥିତି ବି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି।

Comments are closed.