ହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଏକ ହତ୍ୟା ଅପରାଧର ବିଚାର କରି ବ୍ରହ୍ମପୁର ଅତିରିକ୍ତ ଜିଲ୍ଳା ଦୌରା ଜଜ୍ ଡ. ଇନ୍ଦୁ ଶର୍ମା ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦାଖଲ କରିବାକୁ ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ବର୍ଷେ ଏକ ମାସ ଲେଖାଏଁ ପ୍ରତ୍ୟେକ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି।

ପ୍ରାୟ ୬ ବର୍ଷ ପରେ ମଙ୍ଗଳବାର ଏହି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ଆର୍. ହରି ପାତ୍ର ସମେତ ୮ ଜଣଙ୍କୁ ଉପଯୁକ୍ତ ପ୍ରମାଣ ଥିବାରୁ ବିଚାରପତି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୧୭.୯.୨୦୧୭ ସନ୍ଧ୍ୟାରେ ବୁଡୁ ପାତ୍ର ସହ ଆର୍. ହରି ପାତ୍ରର ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ରାତି ୧୦ଟାରେ ଗାଁ କୋଠଘରେ ହୋଇଥିବା ଶାନ୍ତି ବୈଠକରେ ବୁଡୁ ପାତ୍ରଙ୍କୁ ହରି ଓ ତାର ଜଣେ ସହଯୋଗୀ ପୁଣି ଆକ୍ରମଣ କରିଥିଲେ। ବୁଡୁ ନିକଟରେ ଥିବା ତାଙ୍କ ଭାଇ ଲଡୁ ପାତ୍ରଙ୍କ ଘରେ ଲୁଚି ଯାଇଥିଲେ। ଅଥଚ ହରି ପାତ୍ର (୩୦), ଆର୍. ଲୋକନାଥ ପାତ୍ର (୨୧), ଏମ୍.ଦଣ୍ଡ ପାତ୍ର (୪୫), କେ. ବଇରି ପାତ୍ର (୫୫), କେ. ଭୀମ ପାତ୍ର (୪୭) ଏମ୍. ସୋମେଶ ପାତ୍ର (୨୦), ବି. ଏନ୍.ପାତ୍ର (୩୭), ବି. ଭାସ୍କର ପାତ୍ର (୨୧) ବିଭିନ୍ନ ମାରଣାସ୍ତ୍ରରେ ବୁଡୁ ପାତ୍ରଙ୍କୁ କବାଟ ଭାଙ୍ଗି ଘର ଭିତରୁ ବଳପୂର୍ବକ ଟାଣି ଆଣି ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ଭାଇଙ୍କୁ ରକ୍ଷା କରିବାକୁ ଯାଇଥିବା ଲଡୁଙ୍କୁ ମଧ୍ୟ ଆକ୍ରମଣକାରୀମାନେ ମାଡ଼ ମାରିଥିଲେ। ଗୁରୁତର ବୁଡୁଙ୍କୁ ପରିବାର ଲୋକ ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତକଙ୍କ ଭାଇ ଏମ୍. ଲଡୁ ପାତ୍ର ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ହତ୍ୟା ମାମଲା ୧୯୪/୨୦୧୭ ରୁଜୁ କରି ତଦନ୍ତ କରିଥିଲା। ବିଚାରଣା ବେଳେ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ପୋଲିସ ଚାର୍ଜସିଟକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

Comments are closed.