ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ସ୍ଥାନ ନିଶ୍ଚିତ କଲା ନ୍ୟୁଜିଲାଣ୍ଡ୍‌

ବେଙ୍ଗାଲୁୁରୁ: ନିଜ ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ଏକପ୍ରକାର ନିଶ୍ଚିତ କରିଛି । ଗୁରୁବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ହରାଇଛି ନ୍ୟୁଜିଲାଣ୍ଡ୍ । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୯ ମ୍ୟାଚରୁ ୫ଟି ବିଜୟ ସହ ୧୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ନିଜ ସ୍ଥିତି ସୁଦୃଢ଼ କରିନେଇଛି । ଦଳର ରନ୍ ରେଟ (୦.୭୪୩) ମଧ୍ୟ ଉନ୍ନତ ହୋଇଛି । ନ୍ୟୁଜିଲାଣ୍ଡର ଏହି ବିଜୟ ପରେ ପାକିିସ୍ତାନ ପାଇଁ ସେମିଫାଇନାଲ୍ ଦ୍ୱାର ଏକପ୍ରକାର ବନ୍ଦ ହୋଇଯାଇଛି । ପାକିସ୍ତାନ ଶେଷ ଲିଗ୍ ମ୍ୟାଚରେ ଶୁକ୍ରବାର ଇଂଲଣ୍ଡକୁ ଭେଟିବ । ନ୍ୟୁଜିଲାଣ୍ଡର ରନ୍ ରେଟ୍‌କୁ ଟପି ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ପାକିସ୍ତାନକୁ ଚମତ୍କାର ଦରକାର । ପାକିସ୍ତାନ ପ୍ରାୟ ୩୦୦ ରନ୍‌ରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ ନତୁବା କୌଣସି ଟାର୍ଗେଟ୍‌କୁ ୩ ଓଭର ମଧ୍ୟରେ ଚେଜ୍ କରିବାକୁ ହେବ , ଯାହାକି ବେଶ୍ ଅସମ୍ଭବ ମନେ ହେଉଛି । ନ୍ୟୁଜିଲାଣ୍ଡର ବିଜୟ ପରେ ଆଫଗାନିିସ୍ତାନର ଆଶା ବି ମଉଳିଛି । ଏପରିସ୍ଥଳେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ୍ ଖେଳାଯିବା ପ୍ରାୟତଃ ନିଶ୍ଚିତ ହୋଇଛି । ଦ୍ୱିତୀୟ ଥର ପାଇଁ ଦୁଇ ଦଳ ସେମିରେ ମୁହାଁମୁହିଁ ହେବେ । ୨୦୧୯ ବିଶ୍ୱକପ ସେମିରେ ନ୍ୟୁଜିଲାଣ୍ଡଠାରୁ ହାରିଯାଇଥିଲା ଭାରତ ।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ପ୍ରଦର୍ଶନ ଆଗରେ ତିଷ୍ଠିପାରିନଥିଲା ଶ୍ରୀଲଙ୍କା । ସଂହଳୀ ଦଳ ୪୬.୪ ଓଭରରେ କେବଳ ୧୭୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ କୁଶଲ ପେରେରା ସର୍ବାଧିକ ୫୧ ରନ୍ କରିଥିବା ବେଳେ ମହୀଶ ତୀକ୍ଷାନା ୩୮ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ପେସର ଟ୍ରେଣ୍ଟ ବୋଲ୍ଟ ୩ଟି ୱିକେଟ୍ ନେଇଥିବା ବେଳେ ଲକି ଫର୍ଗୁସନ୍‌, ମିଚେଲ ସାଣ୍ଟନର ଓ ରଚିନ ରବୀନ୍ଦ୍ର ୨ଟି ଲେଖାଏଁ ୱିକେଟ୍ ହାତେଇଥିଲେ ।

୧୭୨ ରନ୍‌ର ବିଜୟଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡର ଦୁଇ ଓପନର ଡେଭନ୍ କନୱେ ଓ ରବୀନ୍ଦ୍ର ଦଳକୁ ଧୂଆଁଦାର ଷ୍ଟାର୍ଟ ଦେଇଥିଲେ । ଉଭୟ ପ୍ରଥମ ୱିକେଟ୍‌ରେ ୮୬ ରନ୍ ଯୋଗ କରିଥିଲେ । କନୱେ ୪୨ ବଲ୍‌ରେ ୯ଟି ଚୌକା ସହ ୪୫ ରନ୍ କରିଥିବାବେଳେ ରବୀନ୍ଦ୍ର ୩୪ଟି ବଲ୍‌ରେ ୩ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୪୨ ରନ୍ କରିଥିଲେ । ଡାରିଲ୍ ମିଚେଲ୍ ୩୧ ବଲ୍‌ରେ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୪୩ ରନ୍‌ର ବିସ୍ଫୋରକ ପାଳି ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ୍ ମାତ୍ର ୨୩.୨ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ବୋଲ୍ଟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଏହି ମ୍ୟାଚ୍ ସହ ଶ୍ରୀଲଙ୍କାର ନୈରାଶ୍ୟଜନକ ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି । ଦଳ ୯ଟି ମ୍ୟାଚ୍‌ରୁ ୭ଟି ହାରିଥିବାବେଳେ କେବଳ ଦୁଇଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା ।

Comments are closed.