ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ପାଇଁ ବୁଝାମଣାପତ୍ର ସ୍ବାକ୍ଷର

ଭୁବନେଶ୍ୱର – ଦକ୍ଷତା ବିକାଶ କ୍ଷେତ୍ରରେ ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ ଉପଯୋଗୀ ତାଲିମ ଦେବା ପାଇଁ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବେ । ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସର ପରିଚାଳନା ଲାଗି ସିଙ୍ଗାପୁରର ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱରଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ବୁଝାମଣାପତ୍ର ସ୍ବାକ୍ଷର ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଉପସ୍ଥିତ ଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୯ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯିବ। ଏଥିରେ ରହିଛି ହସ୍ପିଟାଲିଟି – ଫୁଡ୍ ଆଣ୍ଡ ବେଭେରେଜ୍ ଅପରେସନସ୍, ହସ୍ପିଟାଲିଟି – ହୋଟେଲ ଅପରେସନସ୍, ଡିଜିଟାଲ ଆନିମେସନ, ହେଲଥ କେୟାର ଆସିଷ୍ଟାଣ୍ଟ ଟ୍ରେନିଙ୍ଗ, ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଟେକ୍ନୋଲୋଜି, ଏରୋସ୍ପେସ୍ ଆଭିଓନିକ୍ସ, ମେରାଇନ ଇଞ୍ଜିନିୟରିଂ ଏବଂ ନର୍ସିଂ ।

ସିଙ୍ଗାପୁରରୁ ଆସିଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତିନିଧିମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ ଓଡିଶା’ ଇକୋସିଷ୍ଟମକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ପ୍ରତିନିଧି ମଣ୍ଡଳ ସହ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସିଙ୍ଗାପୁର ସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗ କ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି।

Comments are closed.