ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନେଇ ଅଂଶୀଦାରମାନଙ୍କ ସହ ସଂସ୍କୃତି ବିଭାଗର ବୈଠକ

ଭୁବନେଶ୍ୱର- ଖୋର୍ଦ୍ଧାଠାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଗଠନ ପୂର୍ବରୁ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରିଥିଲେ । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ରାଜ୍ୟ ସଂଗ୍ରାହଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଓ ପାଇକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ଅତ୍ୟନ୍ତ ପ୍ରାସଙ୍ଗିକ ଓ ଚିରସ୍ଥାୟୀ କରିବା ନିମନ୍ତେ ବିଭିନ୍ନ ଜିଲ୍ଲାରେ ଗଢି ଉଠିଥିବା ପାଇକ ସଂଗଠନଗୁଡିକର ଗଠନମୂଳକ ମତାମତ ଗ୍ରହଣ କରଯାଇଛି ।

ଏଥିରେ ପାଇକ ସଂଗଠନର ସଭାପତି, ସମ୍ପାଦକ ଓ ପାଇକ ଗୁରୁ ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ସେମାନଙ୍କ ମତାମତକୁ ଭିତ୍ତିକରି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । ୫-ଟି ଉପକ୍ରମ ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନିମନ୍ତେ ଜନସାଧାରଣଙ୍କ ମତାମତ ଲୋଡି ଏହାକୁ ସଫଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।

Comments are closed.