ବୋରୱେଲରୁ ଉଦ୍ଧାର ହେଲେ, କିନ୍ତୁ ବଞ୍ଚିପାରିଲେ ନାହିଁ

ସୋନପୁର – ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ଗାଁରେ ଏକ ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଅତି ସଙ୍କଟାପନ୍ନ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସୋନପୁର ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅଢେଇ ଘଣ୍ଟାର ରେସକ୍ୟୁ ଅପରେସନ ପରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ଏଥିପାଇଁ ବୋରୱେଲ ପାଖରେ ଏକ ସମାନ୍ତରାଳ ଗାତ ଖୋଳିବାକୁ ପଡିଥିଲା । ଉଦ୍ଧାର କରାଯିବା ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ଗାଁରେ ଏକ ପରିତ୍ୟକ୍ତ ଗଭୀର ବୋରୱେଲରେ ବୃଦ୍ଧା ଜଣକ ଖସି ପଡିଥିଲେ । ତାଙ୍କର ବୟସ ପ୍ରାୟ ୮୦ ବର୍ଷ ହେବ ।୨୦ ଫୁଟ ଗଭୀର ବୋରୱେଲ୍‌ରେ ବୃଦ୍ଧା ଜଣକ ଖସି ପଡ଼ିଥିଲେ। ବୃଦ୍ଧା ଜଣକ ହେଉଛନ୍ତି ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁରର ଦୁଃଖି ନାୟକ । ନିଜ ଝିଅ ଘରକୁ ଆସିଥିବା ବେଳେ ସେ ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିବା ବେଳେ ବୋରୱେଲରେ ଖସି ପଡ଼ିଥିଲେ ।

Comments are closed.