ଦିନକ ପରେ ସେମିଫାଇନାଲ ଲଢ଼େଇ, ନ୍ୟୁଜିଲାଣ୍ଡ ଚ୍ୟାଲେଞ୍ଜ ପ୍ରତିହତ କରିପାରିବ ତ ଭାରତ ?

ମୁମ୍ବାଇ: ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ଏବେ ପ୍ରଶଂସକଙ୍କ ନଜର ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ଉପରେ ରହିଛି । ଏହି ସେମିଫାଇନାଲ ବୁଧବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ | ଏହି ଗ୍ରାଉଣ୍ଡରେ ହିଁ ୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ଦ୍ବିତୀୟ ଦିନିକିଆ ବିଶ୍ୱକପ ଟାଇଟଲ୍ ଜିତିଥିଲା । ଏବେ ଏଠାରେ ରୋହିତଙ୍କ ଦଳ ସେମିଫାଇନାଲ ବାଧା ଅତିକ୍ରମ କରି ଟାଇଟଲ୍ ଆଡ଼କୁ ଆଉ ପାଦେ ଆଗେଇବ ବୋଲି ଆଶା କରାଯାଉଛି ।

ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ଭାରତ ୯ରୁ ୯ ମ୍ୟାଚ୍ ଜିତି ଏକମାତ୍ର ଦଳ ଭାବେ ଏଯାବତ୍ ଅପରାଜେୟ ରହିଛି। ତେବେ ନଟ୍ଆଉଟ୍ ଚ୍ୟାଲେଞ୍ଜ ସମ୍ପୂର୍ଣ୍ଣ ଭିନ୍ନ। ଏହାଛଡ଼ା ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଭଲ ରେକର୍ଡ ରହିଛି । ତେଣୁ ସେମିଫାଇନାଲରେ ଘରୋଇ ଦଳକୁ ସତର୍କ ରହିବାକୁ ପଡ଼ିବ।

କ୍ରମାଗତ ଦ୍ବିତୀୟ ଥର ବିଶ୍ବକପ୍ ସେମିଫାଇନାଲରେ ଏହି ଦୁଇ ଦଳ ପରସ୍ପରକୁ ଭେଟିବେ । ୨୦୧୯ ବିଶ୍ବକପ ସେମିଫାଇନାଲରେ ଭାରତକୁ ହରାଇଥିଲା ନ୍ୟୁଜିଲ୍ୟାଣ୍ଡ ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ସର୍ବଦା ଭାରତ ପାଇଁ କଣ୍ଟା ସାବ୍ୟସ୍ତ ହୋଇଛି। ଆଇସିସି ଦିନିକିଆ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ଦୁଇ ଦଳ ୧୦ ଥର ମୁହାଁମୁହିଁ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୫ଟି ଓ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଛି | ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ବାତିଲ ହୋଇଛି।

ଅବଶ୍ୟ ଏଥର ବିଶ୍ବକପ୍ ଲିଗ୍ ପର୍ଯ୍ୟାୟରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା । ଭାରତ ୨୦ ବର୍ଷ ପରେ ବିଶ୍ୱକପରେ କିଓ୍ବି ଟିମକୁ ହରାଇଥିଲା।

ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ପରାଜୟର ପ୍ରତିଶୋଧ ନେବାକୁ ଭାରତ ପାଖରେ ଏବେ ସୁଯୋଗ ରହିଛି । ସେହି ମ୍ୟାଚ୍‌ରେ ଭାରତ ୨୪୦ ରନର ସାଧାରଣ ବିଜୟଲକ୍ଷ୍ୟ ଚେଜ୍ କରିବାରେ ବିଫଳ ହୋଇ ୧୮ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା। ଧୋନିଙ୍କ ତାହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା ।

ମୁମ୍ବାଇରେ ଭାରତର ଭଲ ରେକର୍ଡ ରହିଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତ ଏହା ବଜାୟ ରଖିବାକୁ ଚାହିଁବ ।

ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ ଏଯାବତ୍ ୨୧ଟି ମ୍ୟାଚ୍ ଖେଳିଥିବା ବେଳେ ୧୨ଟି ମ୍ୟାଚ୍ ଜିତିଛି ଓ ୯ଟି ହାରିଛି।

ଚଳିତ ବିଶ୍ୱକପରେ ଭାରତ ସବୁଠୁ ସନ୍ତୁଳିତ ଦଳ ସାବ୍ୟସ୍ତ ହୋଇଛି । ବ୍ୟାଟରମାନେ ନିଜ ଦାୟିତ୍ଵ ସଠିକ୍ ତୁଲାଇଛନ୍ତି । ତେବେ ବୋଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ‌ ରହିଛି । ଲିଗ୍ ପର୍ଯ୍ୟାୟରେ ୯ଟି ମ୍ୟାଚରେ ଭାରତୀୟ ବୋଲର ୮୬ ୱିକେଟ୍ ନେଇଥିଲେ । ଏଥିରୁ ଟିମ୍ ଇଣ୍ଡିଆ ବୋଲରମାନେ କିପରି ଘାତକ ପ୍ରଦର୍ଶନ କରିଛନ୍ତି ତାହା ସ୍ପଷ୍ଟ ହୋଇଛି । ସେମିଫାଇନାଲରେ ମଧ୍ୟ ଭାରତୀୟ ବୋଲର ଏଭଳି ପ୍ରଦର୍ଶନ ଜାରି ରଖିବେ ବୋଲି ଆଶା କରାଯାଉଛି ।

Comments are closed.