ମାତା କୌଶଲ୍ୟା ମନ୍ଦିର, ପୃଥିବୀରେ ଏହା ଏକମାତ୍ର ମନ୍ଦିର ଯାହା କୌଶଲ୍ୟାଙ୍କୁ ସମର୍ପିତ

ମାତା କୌଶଲ୍ୟା ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ପ୍ରଭୁ ରାମଚନ୍ଦ୍ରଙ୍କ ମାତା କୌଶଲ୍ୟାଙ୍କୁ ସମର୍ପିତ ହୋଇଛି। ପୃଥିବୀରେ ଏହା ଏକମାତ୍ର ମନ୍ଦିର ଯାହା କୌଶଲ୍ୟାଙ୍କୁ ସମର୍ପିତ ହୋଇଛି।ଏହା ଛତିଶଗଡ଼ର ରାୟପୁରଠାରୁ ୨୭ କିମି ଦୂର ଚାନ୍ଦଖୁରୀ ଗ୍ରାମରେ ଅବସ୍ଥିତ ।

ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ପ୍ରାୟ ୨୨ କିମିରୁ ୨୭ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ । ଚାନ୍ଦଖୁରୀ ଗ୍ରାମରେ ଥିବା ଏକ ହ୍ରଦ ମଝିରେ ଏହି ମନ୍ଦିର ଅଛି । ମନ୍ଦିରକୁ ଯିବା ପାଇଁ ଏକ ପୋଲ ଉପରେ ଯିବାକୁ ହୁଏ ଯାହାର ନାମ ହନୁମାନ ପୋଲ ଓ ସେଠାରେ ହନୁମାନଙ୍କର ଏକ ବିଗ୍ରହ ଅଛି ।

ଏହି ମନ୍ଦିରରେ ମାତା କୌଶଲ୍ୟା କୋଳରେ ରାମଙ୍କୁ ଧରିଥିବା ବିଗ୍ରହ ପୂଜା ପାଉଛନ୍ତି । ଅଷ୍ଟମ ଶତାବ୍ଦୀ ରେ ଏହି ମନ୍ଦିର ତିଆରି ହୋଇଥିବା ବିଶ୍ୱାସ କରାଯାଏ । ୧୯୭୩ ମସିହାରେ ଏହାର ନବୀକରଣ ହୋଇଥିଲା ।

ରାମ ବନ ଗମନ ପଥ:- ଛତିଶଗଡ଼ ସହିତ ପ୍ରଭୁ ରାମଙ୍କ ନିବିଡ଼ ସମ୍ପର୍କ ରହିଛି ଯେହେତୁ ଏହା ମାତା କୌଶଲ୍ୟାଙ୍କର ଜନ୍ମସ୍ଥାନ । ଛତିଶଗଡ଼ ହେଉଛି ରାମଙ୍କର ମାମୁଁ ଘର । ରାମଙ୍କ ବନବାସ ବେଳେ ଅଧିକାଂଶ ସମୟ ଏହି ରାଜ୍ୟର ଦଣ୍ଡକାରଣ୍ୟର ଜଙ୍ଗଲରେ କଟିଥିଲା ।

ପୌରାଣିକ ମହତ୍ତ୍ୱ ଥିବାରୁ ଏହି ପ୍ରଦେଶ ରେ ‘ରାମ ଗମନ ପଥ’ ପ୍ରକଳ୍ପ ଆରମ୍ଭ କରାଯାଇଛି । ବନବାସ ସମୟରେ ରାମ ରହିଥିବା ସମସ୍ତ ସ୍ଥାନ ସହିତ ପର୍ଯ୍ୟଟକ ଙ୍କୁ ପରିଚିତ କରେଇବାକୁ ଏହି ପ୍ରକଳ୍ପ କରାଯାଇଛି । ଅକ୍ଟୋବର ୨୦୨୧ ମସିହାରେ ଚାନ୍ଦଖୁରୀ ରେ ଥିବା ମାତା କୌଶଲ୍ୟା ମନ୍ଦିର ଠାରୁ ଏହି ବିକାଶ କାମ ଆରମ୍ଭ କରାଯାଇଛି।ଏହି ମନ୍ଦିର କୁ ନବୀକରଣ କରାଯାଇଛି ।

Comments are closed.